ନୂଆଦିଲ୍ଲୀ: ଇତିହାସ ରଚିବାକୁ ଯାଉଛି ଇସ୍ରୋ । ଭାରତର ନିଜ ରକେଟରେ ପ୍ରଥମ ଥର ପାଇଁ ବାୟୁ ସେନାର ୪ ଜଣ ଅଧିକାରୀଙ୍କୁ ମହାକାଶ ପଠାଉଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ଏହି ‘ଗଗନଯାନ’ ଅଭିଯାନ ପାଇଁ ୪ଜଣ ମହାକାଶଚାରୀଙ୍କ ନାଁ ଘୋଷଣା କରିଛନ୍ତି । ଏହି ଭାରତୀୟ ମହାକାଶଚାରୀ ଭାରତୀୟ ବାୟୁସେନାର ଟେଷ୍ଟ ପାଇଲଟ୍ । ଏମାନେ ହେଉଛନ୍ତି, ଗ୍ରୁପ୍ କ୍ୟାପ୍ଟେନ୍ ପ୍ରଶାନ୍ତ ନାୟର, ଅଙ୍ଗଦ ପ୍ରତାପ, ଅଜିତ କୃଷ୍ଣ, ଏବଂ ୱିଙ୍ଗ୍ କମାଣ୍ଡର ଶୁଭାଂଶୁ ଶୁକ୍ଲା । ଆଜି ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟରରୁ ଏମାନଙ୍କ ନାଁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ । ସୂଚନା ଅନୁଯାୟୀ, ଏହି ୪ ଜଣ ପାଇଲଟ୍ ଦେଶର ବାୟୁସେନାର ସବୁ ପ୍ରକାର ଫାଇଟର ଜେଟ୍ ଉଡାଇସାରିଛନ୍ତି । ସବୁପ୍ରକାର ଫାଇଟର ଜେଟ୍ ବିଷୟରେ ଏହି ୪ଜଣ ପାଇଲଟଙ୍କର ସବିଶେଷ ଜ୍ଞାନ ମଧ୍ୟ ରହିଛି । ‘ଗଗନଯାନ’ ପାଇଁ ଏମାନେ ଋଷ ଯାଇ ପ୍ରଶିକ୍ଷଣ ନେଇଛନ୍ତି । ଏବେ ବେଙ୍ଗାଲୁରୁ ଏଷ୍ଟ୍ରୋନଟ୍ ଟ୍ରେନିଙ୍ଗ ଫ୍ୟାସିଲିଟିରେ ଏମାନଙ୍କ ଟ୍ରେନିଙ୍ଗ ଚାଲିଛି । ଗଗନଯାନ ମାଧ୍ୟମରେ ପ୍ରଥମେ ମହାକାଶକୁ ଏକ ରୋବଟ୍ ବ୍ୟୋମମିତ୍ର ମହାକାଶକୁ ପଠାଯିବ। ଏହା ସଫଳ ହେବା ପରେ ୨୦୨୫ ସୁଦ୍ଧା ମନୋନିତ ହୋଇଥିବା ଚାରି ଜଣ ମହାକାଶ ଯାତ୍ରା କରିବେ। ଯଦି ସମସ୍ତ ପ୍ରକ୍ରିୟା ସଫଳ ହୁଏ, ତେବେ ଆମେରିକା, ଋଷ ଏବଂ ଚୀନ ପରେ ଭାରତ ନିଜ ରକେଟରେ ନିଜ ବୀରଙ୍କୁ ମହାକାଶ ପଠାଇବାରେ ବିଶ୍ୱର ଚତୁର୍ଥ ରାଷ୍ଟ୍ର ଭାବେ ପରିଗଣିତ ହେବ।