ନୂଆଦିଲ୍ଲୀ: ସାରା ଦେଶ ପାଳୁଛି ୭୭ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପରେ ଦେଶ ବାସିଙ୍କୁ ସମ୍ବୋଧିତ କରିକହିଛନ୍ତି ଯେ, ଦେଶବାସୀ ମୋ ପରିବାର ଜନ । “ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ଏବେ ଜନସଂଖ୍ୟା କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ଦେଶ। ଏତେ ବଡ ଦେଶ, ମୋ ପରିବାରର ୧୪୦ କୋଟି ସଦସ୍ୟ ଆଜି ସ୍ୱାଧୀନତା ଦିବସ ପାଳନ କରୁଛନ୍ତି।”
ସେ ଅହୁରି ମଧ୍ୟ କହିଛନ୍ତି , ‘କିଛି ଦିନ ହେଲା ମଣିପୁର ହିଂସା ମୋତେ ବ୍ୟଥିତ କରିଛି। ଏଥିସହ ଏହା ଭିତରେ ମଣିପୁରରେ ଶାନ୍ତି ଫେରିବା ମଧ୍ୟ ଆଶ୍ୱସ୍ତ କରିଛି। ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଶାନ୍ତି ଅଛି। ସାରା ଦେଶ ମଣିପୁରବାସୀଙ୍କ ସହ ଅଛି। ଆଲୋଚନା ମାଧ୍ୟମରେ ମଣିପୁରର ସମାଧାନର ରାସ୍ତା ବାହାରିବ’। ୭୭ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇ ଏକଥା କହିଛନ୍ତି।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆଜି ଆମ ଯୁବପିଢି ଯେଉଁ ସୌଭାଗ୍ୟ ପାଇଛନ୍ତି ତାହା କଷ୍ଟସାଧ୍ୟ। ଆମେ ଏହାକୁ ହରାଇବା ଉଚିତ୍ ନୁହେଁ। ଆଗାମୀ ସମୟ ଦେଶ ଟେକ୍ନୋଲୋଜି ଦ୍ୱାରା ପ୍ରଭାବିତ ହେବାକୁ ଯାଉଛି। ଆମର ଛୋଟ ସହରଗୁଡିକ ଜନସଂଖ୍ୟାରେ କମ୍ ହୋଇପାରନ୍ତି, କିନ୍ତୁ ସେମାନଙ୍କ ସାମର୍ଥ୍ୟ ଅନ୍ୟମାନଙ୍କଠାରୁ କିଛି କମ୍ ନୁହେଁ। ଦେଶରେ କୌଣସି ସୁଯୋଗର ଅଭାବ ନାହିଁ। ଆପଣ ଯେତେ ସୁଯୋଗ ଚାହିଁବେ ଏହି ଦେଶ ସେତେ ସୁଯୋଗ ଦେବାର ସାମର୍ଥ୍ୟ ରଖିଛି।
ସେପଟେ ଲାଲକିଲାରେ ସମଗ୍ର ବିଶ୍ୱରୁ ୧୮ଶହ ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସ୍ୱାଧୀନତା ଦିବସ ପାଇଁ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଲାଲକିଲା ଆଖପାଖରେ ୧୦ହଜାରରୁ ଅଧିକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି ।