ନୂଆଦିଲ୍ଲୀ: ଆଜିଠାରୁ ଫ୍ରାନ୍ସ ଏବଂ ଆମେରିକା ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ଉଭୟ ଦେଶ ସହିତ ପ୍ରତିରକ୍ଷା ସହଯୋଗ ଏବଂ ବାଣିଜ୍ୟ ସହଭାଗିତା ବୃଦ୍ଧି କରିବା । ତେବେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଫ୍ରାନ୍ସରେ ରହିବେ ଏବଂ ପରେ ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଆମେରିକା ଯିବାର କାର୍ଯ୍ୟକ୍ରମ ରହିଛି ।
ସୂଚନା ଅନୁଯାୟୀ, ଫେବୁଆରୀ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ପ୍ୟାରିସରେ ପହଞ୍ଚିବେ ଏବଂ ସେହି ଦିନ ଆଲିସ ପ୍ୟାଲେସରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ରାତ୍ରୀ ଭୋଜନ କରିବେ । ଅନେକ ବଡ ଟେକ୍ନୋଲୋଜି କମ୍ପାନୀର ସିଇଓମାନେ ମଧ୍ୟ ଏହି ରାତ୍ରୀ ଭୋଜନରେ ଯୋଗଦେବେ ।
ପରେ ୧୧ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ମାକ୍ରନ ଏଆଇ ଆକ୍ସନ ସମ୍ମିଳନୀର ସହ- ଅଧ୍ୟକ୍ଷତା କରିବେ । ଏହି ଶିଖର ସମ୍ମିଳନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦି ଭାରତ ଫ୍ରାନ୍ସ ସିଇଓ ଫୋରମକୁ ମଧ୍ୟ ସମ୍ବୋଧିତ କରିବେ , ଯାହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ବୈଷୟିକ ସହଯୋଗକୁ ଆହୁରି ମଜବୁତ କରିବେ ।