ନୂଆଦିଲ୍ଲୀ : ଆସନ୍ତାକାଲି ଠାରୁ ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ନିମନ୍ତ୍ରଣ ସ୍ବୀକାର କରି ମୋଦି ଏହି ଗସ୍ତରେ ଯାଉଥିବା ସୂଚନା ରହିଛି । ମୋଦି ଓ ସଲମାନଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବାର ରହିଛି କାର୍ଯ୍ୟକ୍ରମ । ଏନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ତୃତୀୟ କାର୍ଯ୍ୟକାଳ ରେ ପ୍ରଥମ ଥର ପାଇଁ ସାଉଦି ଆରବ ଗସ୍ତ କରୁଛନ୍ତି । ସେ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କୁ ଭେଟିବେ । ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀ ୨୦୧୬ ଓ ୨୦୧୯ ରେ ସାଉଦି ଗସ୍ତ କରିଥିଲେ । ସୂତ୍ର ଅନୁସାରେ, ଏହି ଗସ୍ତରେ ବାଣିଜ୍ୟ, ବିନିଯୋଗ, ଶକ୍ତି ସହଯୋଗ, ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କରିଡର ଜାଗରଣ ଏବଂ ପ୍ରତିରକ୍ଷା ସହଭାଗିତା ଆଲୋଚନାର ମୁଖ୍ୟ ବିଷୟ ହେବ । ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ରଣନୈତିକ ସମ୍ପର୍କକୁ ଆହୁରି ମଜବୁତ୍ କରିବ ବୋଲି ଆଶା କରାଯାଉଛି।