ପ୍ରଧାନମନ୍ତ୍ରୀଙ୍କ ତ୍ରୀଦିବସୀୟ ଆମେରିକା ଗସ୍ତ; ଜାତିସଂଘରେ ଯୋଗ ଦିବସର ନେବେ ନେତୃତ୍ୱ

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆମେରିକା ଗସ୍ତରେ ବାହାରିଛନ୍ତି । ମୋଦି ୨୧ ଜୁନରୁ ୨୩ ଜୁନ୍ ମଧ୍ୟରେ ଆମେରିକାରେ ରହିବେ । ଏହା ପରେ ସେ ମିଶର ଅଭିମୁଖେ ଯାତ୍ରା କରିବାର କାର୍ୟ୍ୟକ୍ରମ ରହିଛି । ଏହି ଗସ୍ତ ପୂର୍ବରୁ ମୋଦି ନିଜର କାର୍ୟ୍ୟକ୍ରମକୁ ନେଇ ଟ୍ୱିଟ୍ କରି ଜଣାଇଛନ୍ତି ।

ଆଜି ସକାଳେ ସ୍ୱତନ୍ତ୍ର ବିମାନରେ ମୋଦୀ ଆମେରିକା ଅଭିମୁଖେ ବାହାରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଆମେରିକା ପ୍ରଥମ ମହିଳା ନାଗରିକ ଜିଲ୍ ବାଇଡେନଙ୍କ ଅନୁରୋଧ କ୍ରମେ ଆମେରିକା ଗସ୍ତ କରିଛନ୍ତି । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ସବୁଠାରୁ ବଡ ପ୍ରତିରକ୍ଷା ଡିଲରେ ମୋହର ବାଜିବ । ଫଳରେ ଭାରତୀୟ ପ୍ରତିରକ୍ଷା ଶକ୍ତି ଅନେକ ଗୁଣରେ ବୃଦ୍ଧି ପାଇବ ବୋଲି କୁହାଯାଉଛି । ତାଙ୍କର ଆମେରିକା ଗସ୍ତ ୨୧ ଜୁନରୁ ୨୩ ଜୁନ ଯାଏଁ ରହିବ । ଏହାପରେ ମୋଦୀ ଜୁନ୍ ୨୪ ତାରିଖରେ ମିଶର ଗସ୍ତରେ ବାହାରିବେ । ଗତ ଜାନୁଆରୀରେ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଆସିଥିବା ମିଶର ରାଷ୍ଟ୍ରପତି ଅବଦେଲ ଫତେହ ଅଲସିସିଙ୍କ ଅନୁରୋଧ କ୍ରମେ ମିଶର ଯିବେ ମୋଦୀ ।

ଜୁନ୍ ୨୧ ତାରିଖରେ ଜାତିସଂଘ କଂଗ୍ରେସକୁ ମୋଦୀ ସମ୍ବୋଧନ କରିବା ସହ ୯ମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସର ନେତୃତ୍ୱ କରିବେ । ଏହି ଯୋଗ କାର୍ୟ୍ୟକ୍ରମରେ ୧୮୦ଟି ଦେଶର ପ୍ରତିନିଧି ସାମିଲ ହେବେ । ଏଥିରେ ଅନ୍ତରାଷ୍ଟ୍ରୀୟ କଣ୍ଠଶିଳ୍ପୀ ମେରୀ ମିଲବେନ୍ ମଧ୍ୟ ସାମିଲ ହୋଇ ଗୀତ ପରିବେଷଣ କରିବାର କାର୍ୟ୍ୟକ୍ରମ ରହିଛି । ଜୁନ୍ ୨୨ ତାରିଖରେ ହ୍ୱାଇଟହାଉସରେ ଜୋ ବାଇଡେନଙ୍କ ଅତିଥି ସାଜିବେ ମୋଦୀ । ୨୧ ତୋପ ସଲାମୀ ସହ ମୋଦୀଙ୍କୁ ସ୍ୱାଗତ କରିବା ପରେ ସେଠାରେ ମୋଦୀ ରାତ୍ରୀ ଭୋଜନ କରିବେ । ଏଥିରେ ୭୦୦୦ ରୁ ଅଧିକ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଯୋଗ ଦେବାର ସୂଚନା ରହିଛି । ଜୁନ୍ ୨୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଉପରାଷ୍ଟ୍ରପତି କମଲା ହ୍ୟାରୀସ୍ ଓ ବୈଦେଶୀକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନଙ୍କୁ ଭେଟିବେ । ତାଙ୍କ ସହ ଦ୍ୱିପହର ଭୋଜନ କରିବା ପରେ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି। ଆଶା କରାଯାଏ ଯେ, ଭାରତ ଏବଂ ଆମେରିକା ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାରବାର ମଧ୍ୟ ହୋଇପାରିବ।