ପାଟନା-: ବିହାର ପାଟନାର ଗାନ୍ଧୀ ମୈଦାନ ଥାନା ଅଞ୍ଚଳରେ ବ୍ୟବସାୟୀ ଗୋପାଳ ଖେମକାଙ୍କୁ ଗୁଳିମାଡ଼ । ଖେମକାଙ୍କୁ ଅଜ୍ଞାତ ବାଇକ୍ ଆରୋହୀ ଆକ୍ରମଣକାରୀମାନେ ଗୁଳି କରି ହତ୍ୟା କରିଥିବା ସୂଚନା ରହିଛି । ଜାଣିବାକୁ ମିଳିଛି ଯେ ଛଅ ବର୍ଷ ତଳେ ତାଙ୍କ ପୁଅ ଗୁଞ୍ଜନ ଖେମକାଙ୍କୁ ମଧ୍ୟ ସମାନ ଭାବରେ ହତ୍ୟା କରାଯାଇଥିଲା । ଶୁକ୍ରବାର ରାତିରେ ଗାନ୍ଧୀ ମୈଦାନ ଅଞ୍ଚଳରେ ଥିବା ତାଙ୍କ ବାସଭବନ ନିକଟରେ କିଛି ଅଜଣା ଆକ୍ରମଣକାରୀମାନେ ତାଙ୍କୁ ଆକ୍ରମଣ କରିଥିଲେ ।
ସୂଚନା ମୁତାବକ, ଗୋପାଳ ଖେମକା ଗତ ରାତିରେ ବାଙ୍କିପୁର କ୍ଲବରୁ ଗାନ୍ଧୀ ମୈଦାନ ସ୍ଥିତ ରାମ ଗୁଲାମ ଚୌକରେ ଥିବା ତାଙ୍କ ଘରକୁ ଫେରୁଥିଲେ । ରାମଗୁଲାମ ଛକ ନିକଟରେ ସେ ତାଙ୍କ କାର ପାର୍କିଂ କରି ଗାଡିରୁ ଓହ୍ଲାଇବା ମାତ୍ରେ ହିଁ ଦୃର୍ବୁତ୍ତ ମାନେ ତାଙ୍କ ମୁଣ୍ଡକୁ ଗୁଳିମାଡ଼ କରିଥିଲେ । ଯାହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡ଼ାକ୍ତର ତାଙ୍କ ଜୀବନ ବଞ୍ଚାଇ ପାରିନଥିଲେ ।
ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସିସିଟିଭି କ୍ୟାମେରାରୁ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ଚେଷ୍ଟା କରୁଛି । ଅପରପକ୍ଷେ ନିକଟରେ ଥାନା ଥାଇ ମଧ୍ୟ ପୋଲିସ ୩ଘଣ୍ଟା ବିଳମ୍ବରେ କଣ ପାଇଁ ପହଞ୍ଚିଥିଲା ଏହାକୁ ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଫରେନ୍ସିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିଛି । ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଅପରାଧୀମାନଙ୍କୁ ଯଥାଶୀଘ୍ର ଖୋଜିବା ପାଇଁ ଡିଜିପି ବିନୟ କୁମାର STF ଟିମକୁ ଦାୟିତ୍ୱ ଦେଇଛନ୍ତି । ଏହା ପୂର୍ବରୁ ୨୦୧୮ ମସିହାରେ ବୈଶାଳୀରେ ଗୋପାଳ ଖେମକାଙ୍କ ପୁଅ ଗୁଞ୍ଜନ ଖେମକାଙ୍କୁ ମଧ୍ୟ ସମାନ ଭାବରେ ଗୁଳି କରି ହତ୍ୟା କରାଯାଇଥିଲା ।