ବରୀ / ପ୍ରଶାନ୍ତ ଦ୍ବିବେଦୀ : ଆଉ ନାହାନ୍ତି ବିଶିଷ୍ଟ ସମାଜସେବୀ ବିଷ୍ଣୁ ଚରଣ ମହାନ୍ତି। ବରୀ ଅଞ୍ଚଳରେ ସୋକର ଛାୟା। ଖବର ପାଇ ପହଞ୍ଚିଲେ ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକ। ସ୍ବର୍ଗତ ବିଷ୍ଣୁ ବାବୁ ଜଣେ ବିଶିଷ୍ଟ ସମାଜସେବୀ,ରାଜନୀତିଜ୍ଞ, ଆଦର୍ଶ ଶିକ୍ଷକ ଭାବେ ସମଗ୍ର ବରୀ ଅଞ୍ଚଳରେ ପରିଚିତ। ଗତ କାଲି ବିଳମ୍ବିତ ରାତିରେ ନିଜ ଗାଁ ବରୀ ବ୍ଲକ ଅନ୍ତର୍ଗତ ରତ୍ନଗିରି ସ୍ଥିତ ବାସଭବନ ରେ ପରଲୋକ ଘଟିଛି। ମୃତ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ଦୀର୍ଘ 3 ମାସ ହେବ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଥିଲେ । ଶ୍ରୀଯୁକ୍ତ ମହାନ୍ତି ପିଲାଦିନ ରୁ ସମାଜ ସେବା କରିବା ସହିତ ଛାତ୍ର ଜୀବନ ରୁ ରାଜନୀତି ରେ ପ୍ରବେଶ କରି ବେଶ୍ ନା କରିଛନ୍ତି। କଟକ ସ୍ଥିତ ଷ୍ଟୁଆର୍ଟ କଲେଜ ରେ ପାଠ ପଢିବା ସମୟରେ କଲେଜ ନିର୍ବାଚନ ରେ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ପାଠ ପଢା ପରେ ଶ୍ରୀଯୁକ୍ତ ମହାନ୍ତି ନିଜ ଗାଁ ରତ୍ନଗିରି ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକ ଭାବେ କାର୍ଯ୍ୟ କରିବା ସହ ଜଣେ ଆଦର୍ଶ ଶିକ୍ଷକ ରୂପେ ନିଜକୁ ଗଢି ତୋଳି ଥିଲେ। ପିଲା ଦିନରୁ ସମାଜ ସେବା କରିବାକୁ ଆଗ୍ରହ ରଖିଥିବା ମହାନ୍ତି ହଟାତ୍ ଚାକିରି ଛାଡ଼ି ରାଜନୀତି ରେ ପାଦ ଦେଇ ବରୀ ଡେରାବିଶ ଆସନ ରୁ ଦୁଇ ଥର ବିଧାୟକ ପ୍ରାର୍ଥୀ ହୋଇ ପରାଜୟ ବରଣ କରିବା ପରେ 1997 ମସିହା ରେ ଜିଲ୍ଲାପରିଷଦ ଭାବେ ନିର୍ବାଚନ ଲଢ଼ି ବିଜୟ ହୋଇଥିଲେ। ପରେ ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନିର୍ବାଚନ ଲଢି ପରାଜୟ ବରଣ କରିଥିଲେ ଶ୍ରୀଯୁକ୍ତ ମହାନ୍ତି। ପରେ ବରୀ ଅଞ୍ଚଳ ରେ ପୁଷ୍ପଗିରି ସାହିତ୍ୟ ପରିଷଦ ର ଅଧକ୍ଷ ଭାବେ କାର୍ଯ୍ୟ କରିବା ସହ , ବରୀ ଦ୍ଵିପାଞ୍ଚଳ ପରିଷଦ, ବ୍ରାହ୍ମଣୀ ବଞ୍ଚାଅ ଆନ୍ଦୋଳନ ଓ ଗୋପବନ୍ଧୁ ରମାଦେବୀ ଆଶ୍ରମ ର ସଦସ୍ୟ ଭାବେ କାର୍ଯ୍ୟ କରି ବେଶ୍ ପ୍ରଶଂସା ସାଉଁଟି ଛନ୍ତି। ଆଜି ତାଙ୍କ ଅବର୍ତ୍ତମାନ ବରୀ ରେ ଏକ ବିରାଟ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି। ଖବର ପାଇ ବରୀ ବିଧାୟକ ଶ୍ରୀଯୁକ୍ତ ବିଶ୍ବରଂଜନ ମଲ୍ଲିକ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକ ସଂତପ୍ତ ପରିବାର ବର୍ଗଙ୍କୁ ସାନ୍ତନା ଜଣାଇଛନ୍ତି। ସେହିପରି ବିଜେଡି ସଭାପତି କେଦାର ସାମଲ, ଜିଲ୍ଲାପରିଷଦ ସଭ୍ୟ ଅଶୋକ ସାମଲ, ଦିଲୀପ ମହାନ୍ତି ପ୍ରସନ୍ନ ସାମଲ ସାମ୍ବାଦିକ ପ୍ରଶାନ୍ତ ଦ୍ଵିବେଦୀ ପ୍ରମୁଖ ତାଙ୍କ ଶେଷ ଦର୍ଶନ କରିଥିବା ବେଳେ ସମାଜସେବୀ କବୀର୍ ଦାସ , ବିଜେପି ନେତା ଉମେଶ ଜେନା, ଉମାକାନ୍ତ ନାୟକ, ରାଜକିଶୋର ସାମଲ , ନନ୍ଦ ସେନାପତି ପ୍ରମୁଖ ତାଙ୍କ ବାସ ଭବନ ରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ଶ୍ରୀଯୁକ୍ତ ମହାନ୍ତି ଙ୍କ ମରଶରୀର କୁ ଗାଁ ପରିକ୍ରମା ପରେ ଗାଁ ମଶାଣି ରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ ପୁଅ ନଳିନୀ ମହାନ୍ତି ମୁଖାଗ୍ନି ଦେଇଥିବା ବେଳେ ସାନପୁଅ ଚିନ୍ମୟ ମହାନ୍ତି ଓ ପରିବାର ବର୍ଗ ଗ୍ରାମବାସୀ ଉପସ୍ଥିତ ଥିଲେ।