ଜଲାନ କାର୍ବନ କେମିକାଲ ପ୍ଲାଣ୍ଟ ବନ୍ଦ ଦାବିରେ ଗ୍ରାମବାସୀଙ୍କ ଧାରଣା

0

(ଜ୍ୟୋତି ରଞ୍ଜନ ଧର)କଣିହାଁ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ହରିହରପୁର ପଂଚାୟତର ଏକଘରିଆ ଗ୍ରାମରେ ଥିବା ଜଲାନ କାର୍ବନ କେମିକାଲ ପ୍ଲାଣ୍ଟ ପ୍ରବେଶ ଫାଟକ ସମୁଖରେ ଏକଘରିଆ ଗ୍ରାମବାସୀ ପ୍ଲାଣ୍ଟ ବନ୍ଦ ଦାବୀ ନେଇ ପାଞ୍ଚ ଦିନ ହେବ ଧାରଣାରେ ବସିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଏହି କାରଖାନାରୁ ବାହାରୁଥିବା ବେଞ୍ଜୋପାୱାରିନ ଗ୍ୟାସ ଦ୍ୱାରା ଆମ୍ଭେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ବିଭିନ୍ନ ଗୃହପାଳିତ ପଶୁ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି । କାରଖାନା ଚାଲିଲେ ହେଉଥିବା ଗନ୍ଧ ଯୋଗୁ ଗ୍ରାମରେ ରହିବା କଷ୍ଟକର ବ୍ୟାପାର ହୋଇ ପଡୁଥିବା ବେଳେ ରାସ୍ତାରେ ଯାଉଥିବା ଯାତ୍ରୀମାନେ ମଧ୍ୟ ଗନ୍ଧ ପାଇ ଅସୁବିଧାର ସମ୍ମୁଖିନ ହେଉଛନ୍ତି।
୨୦୦୯ ମସିହାରେ ଏହି କେମିକାଲ ପ୍ଲାଣ୍ଟ ଆଇଟିଆର(ଇଣ୍ଟରକଣ୍ଟେନିଟାଲ ଟାର ରିଫାଇନାରୀ ପ୍ରାଇଭେଟ ଲିମିଟେଡ଼) ନାମରେ ଗ୍ରାମଠାରୁ ମାତ୍ର ଦେଢ଼ଶହ ମିଟର ଦୂରରେ ସ୍ଥାପିତ ହୋଇଥିଲା।ପ୍ରଥମରୁ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ପ୍ରଶାସନକୁ ଧରି ପ୍ଲାଣ୍ଟକୁ ଚଳାଇ ଆସିଛି।ଏଥିନେଇ ଗ୍ରାମବାସୀ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲେ।ଟ୍ରିବ୍ୟୁନାଲ ଉଭୟ ପକ୍ଷର କଥାକୁ ଶୁଣିଲା ପରେ କାରଖାନା ବନ୍ଦ କରିବାକୁ ପ୍ରଦୂଷଣ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଦୂଷଣ ବିଭାଗ ନିର୍ଦ୍ଦେଶ ପାଇଲା ପରେ ପ୍ଲାଣ୍ଟକୁ ସମ୍ପୂର୍ଣ୍ଣ ସିଲ କରିଦେଇଥିଲେ। ଏହାପରେ ପ୍ଲାଣ୍ଟର ନାମ ପରିବର୍ତନ କରି ଜଲାନ କାର୍ବନ କେମିକାଳ୍ସ୍ ପ୍ରାଇଭେଟ ଲିମିଟେଡ଼ ନାମ ରଖି ଚାଲୁ କରିଥିଲେ। ପ୍ରଦୂଷଣ ବିଭାଗ ପ୍ଲାଣ୍ଟକୁ ପ୍ରଦୂଷଣ ନିୟନ୍ତ୍ରଣ ଯନ୍ତ୍ରପାତି ଲଗାଇବାର ସର୍ତ୍ତ ରଖି ପ୍ଲାଣ୍ଟ ଚଳାଇବାକୁ ଅନୁମତି ଦେଇଥିଲେ। ପରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ମାନେ ଆସି ବାୟୁ,ଜଳ ଆଦିର ପରୀକ୍ଷା ପାଇ ସାମ୍ପୁଲ ନେଇଥିଲେ।କିନ୍ତୁ ପୁଣି ଗ୍ରାମବାସୀ ପ୍ରଦୂଷଣ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଯାହାଫଳରେ ପୁନଶ୍ଚ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ପ୍ଲାଣ୍ଟକୁ ସମ୍ପୂର୍ଣ ରୂପେ ସିଲ କରିଥିଲେ।
କିନ୍ତୁ ହଠାତ୍ ଗତ ଜୁନ ୧୨ତାରିଖରେ ଗ୍ରୀନ ଟ୍ରିବ୍ୟୁନାଲରେ କେସ ବିଚାରାଧୀନ ଥିବା ବେଳେ ପ୍ରଦୂଷଣ ବିଭାଗ ପୁଲିସ ଉପସ୍ଥିତିରେ ପ୍ଲାଣ୍ଟ ଚାଲୁ କରିବା କାହା ସ୍ୱାର୍ଥରେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରଶାସନ, ପ୍ରଦୂଷଣ ବିଭାଗ ସହ କମ୍ପାନୀ କର୍ତ୍ତୃପକ୍ଷଙ୍କ ସଲାସୁତୁରା ଅଛି ବୋଲି
ଗ୍ରାମବାସୀ ମାନେ ଅଭିଯୋଗ କରିବା ସହ ଆମ ଜୀବନକୁ ମରଣମୁହଁକୁ ଠେଲି ଦେଉଛନ୍ତି ବୋଲି ପ୍ରକାଶ କରିଛନ୍ତି।କିନ୍ତୁ ଆମେ ପ୍ଲାଣ୍ଟ ବନ୍ଦ ନହେବା ପର୍ୟ୍ୟନ୍ତ ଧାରଣା ଜାରି ରଖିବୁ ବୋଲି ଧାରଣାରେ ବସିଥିବା ଗ୍ରାମବାସୀ କହିଛନ୍ତି।ଧାରଣା ସ୍ଥଳରେ ଗ୍ରାମ୍ୟ ସଭାପତି ଲମ୍ବୋଦର ଦେବତା, ଅନିଲ ନନ୍ଦ, ହରିହରପୁର ସରପଞ୍ଚ ବିଜୟ ପ୍ରଧାନ, ନରେଶ ଦେବତା,ନରେଶ ବେହେରା ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଅଛନ୍ତି । କିଛି ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ କାର୍ୟ୍ୟ କରୁଥିବା ଅଭିଯୋଗ କରି ତୁରନ୍ତ କାରଖାନା ବନ୍ଦ କରିବାକୁ ଦାବୀ କରିଛନ୍ତି।