ମହାପ୍ରଭୁଙ୍କ ପଇତାଲାଗି ନୀତି ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

0

ପୁରୀ: ଆଜି ପବିତ୍ର ମାର୍ଗଶୀର ମାସ କୃଷ୍ଣପକ୍ଷ ସପ୍ତମୀ ତିଥି। ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କର ପଇତାଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନିତି ହୋଇଥିବାରୁ ଏହି ନିତି ସମୟରେ ପ୍ରାୟ୫ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏଥିପାଇଁ ଅପରାହ୍ନ ୫ ଟା ଠାରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ଵାର ବନ୍ଦ ରହିବ। ଦ୍ଵିପହର ଧୂପ ସରିବାପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ପଇତାଲାଗି କରିବେ। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ପଇତାଲାଗି କରାଯିବାର ପରମ୍ପରା ରହିଛି। ବର୍ଷରେ ଦୁଇଥର ବାସୁଙ୍ଗାପାଟରେ ପ୍ରସ୍ତୁତ ପଇତାଲାଗି ହୋଇଥାନ୍ତି ମହାପ୍ରଭୁ। ଓଢଣୀ ଷଷ୍ଠୀ ପୂର୍ବରୁ ଓ ବୈଶାଖ ମାସର ଚନ୍ଦନଲାଗି ପୂର୍ବରୁ ଏହି ନିତି ଅନୁଷ୍ଠିତ ହୋଇଥାଏ। ପ୍ରାୟ ୪ରୁ ୫ ଘଣ୍ଟା ଧରି ଏହି ନୀତି ଚାଲିବା ଯୋଗୁଁ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରନ୍ତି ନାହିଁ। ଏହି ନୀତି ସମ୍ପୂର୍ଣ୍ଣ ହେବାପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯିବା ପରେ ଶ୍ରଦ୍ଧାଳୁମାନେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିପାରିବେ। ପବିତ୍ର ପଇତାଲାଗି ନିତି ରହିଥିବାରୁ ଆଜି ନିତିକୁ ଅଧିକ ସୃଙ୍ଖଳିତ କରାଯାଇଛି। ଭୋର ୫ଟା ୨୫ରେ ଶ୍ରୀମନ୍ଦିର ଦ୍ୱାରଫିଟା ନିତି କରାଯିବା ସହ ମଙ୍ଗଳାଳତୀ, ମଇଲମ, ଅବକାଶ ନିତି ଆଦି ଦୈନନ୍ଦିନ ନିତି ଆଗକୁ ବଢିଛି। ରାତି ୧୦ଟା ପରେ ପୁନର୍ବାର ଦର୍ଶନ ଆରମ୍ଭ ହେବ। ସେପଟେ ଆସନ୍ତାକାଲି ଅର୍ଥାତ ମାର୍ଗଶିର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ପବିତ୍ର ପ୍ରଥମାଷ୍ଟମୀରେ ମହାପ୍ରଭୁ ପଢୁଆଁ ହେବେ। ଏଥିଲାଗି ଆଜି ମହାପ୍ରଭୁଙ୍କ ମାମୁଘର ନିଆଳି ମାଧବ ପିଠ ରୁ ଆସିବ ପୋଢୁଁଆଁ ଭାର।