ପୂଜା ପାଉଛନ୍ତି ମୁଣ୍ଡ ବିହୀନ ମୂର୍ତ୍ତି

0

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଉତ୍ତରପ୍ରଦେଶରେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ମୁଣ୍ଡ ନଥିବା ମୂର୍ତ୍ତିଗୁଡ଼ିକୁ ପୂଜା କରାଯାଉଛି। ଏହି ମନ୍ଦିର ଲକ୍ଷ୍ନୌଠାରୁ ୧୭୦ କିଲୋମିଟର ଦୂର ପ୍ରତାପଗଡ଼ରେ ଅବସ୍ଥିତ। ମନ୍ଦିରର ନାମ ଅଷ୍ଟଭୁଜା ଧାମ ମନ୍ଦିର। ୯୦୦ ବର୍ଷ ଧରି ଏହି ମୂର୍ତ୍ତିଗୁଡ଼ିକୁ ଏଠାରେ ସଂରକ୍ଷିତ ରଖାଯାଇଛି। କୁହାଯାଏ, ଏଠାରେ ଥିବା ମୂର୍ତ୍ତିଙ୍କ ମୁଣ୍ଡକୁ ମୋଗଲ ସମ୍ରାଟ ଔରଙ୍ଗଜେବ କାଟି ଦେଇଥିଲେ। ସେବେଠାରୁ ଆଜିପର୍ୟ୍ୟନ୍ତ ଏହି ମୂର୍ତ୍ତିଗୁଡ଼ିକ ବିନା ମୁଣ୍ଡରେ ପୂଜା ପାଉଛନ୍ତି। ରିପୋର୍ଟ ଅନୁଯାୟୀ, ୧୬୯୯ ମସିହାରେ ହିନ୍ଦୁ ମନ୍ଦିରଗୁଡ଼ିକୁ ଭାଙ୍ଗିବାକୁ ଔରଙ୍ଗଜେବ ଆଦେଶ ଦେଇଥିଲେ। ଏହି ସମୟରେ ଏହି ମନ୍ଦିରକୁ ବଞ୍ଚାଇବା ପାଇଁ ପୂଜାରୀ ମନ୍ଦିରର ମୁଖ୍ୟଦ୍ୱାରକୁ ମସ୍‌ଜିଦ୍‌ ପରି ନିର୍ମାଣ କରିଦେଇଥିଲେ। ତେଣୁ ମୋଗଲ ସୈନିକ ଭ୍ରମରେ ପଡ଼ି ଏହାକୁ ଭାଙ୍ଗି ନଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ଜଣକର ନଜର ମନ୍ଦିରରେ ଟଙ୍ଗା ହୋଇଥିବା ଏକ ଘଣ୍ଟା ଉପରେ ପଡ଼ିଥିଲା। ପରେ ସେନାମୁଖ୍ୟ ମନ୍ଦିରରେ ଥିବା ମୂର୍ତ୍ତିକୁ ଭାଙ୍ଗିବାକୁ ଆଦେଶ ଦେଇଥିଲେ। ୨୦୦୭ରେ ଦିଲୀରୁ ଆସିଥିବା ପ୍ରତ୍ନତତ୍ତ୍ୱବିତ୍‌ମାନେ ଏହା ୧୧୦୦ ଶତାବ୍ଦୀର ବୋଲି କହିଥିଲେ। ଇତିହାସ କୁହେ, ଏହି ମନ୍ଦିର ସିନ୍ଧୁ ଘାଟି ସଭ୍ୟତାରେ ହୋଇଥିଲା। ମନ୍ଦିରକୁ ନେଇ ଭିନ୍ନଭିନ୍ନ ମତ ପ୍ରକାଶ ପାଉଥିଲେ ମଧ୍ୟ ଏକଥା ସତ ଯେ ମନ୍ଦିରରେ ଥିବା ମୂର୍ତ୍ତିଗୁଡ଼ିକର ମୁଣ୍ଡ ନାହିଁ। ଯାହା ଆଜି ପର୍ୟ୍ୟନ୍ତ ସେମିତି ପୂଜା ପାଇ ଆସୁଛନ୍ତି। ଏହା ସହିତ ମନ୍ଦିରର ମୁଖ୍ୟଦ୍ୱାରରେ କିଛି ଲେଖା ହୋଇଛି। କିନ୍ତୁ ଆଜିପର୍ୟ୍ୟନ୍ତ ଏହି ଭାଷାକୁ ଐତିହାସିକ କିମ୍ବା ପ୍ରତ୍ନତତ୍ତ୍ୱବିତ୍‌ ମଧ୍ୟ ବୁଝି ପାରୁନାହାନ୍ତି।