ଆଜି ମନେ ପଡିଯାଏ ସେହି କଳାଦିନ । ଠିକ୍ ୬ ବର୍ଷ ପୂର୍ବେ ଅର୍ଥାତ୍୧୪ ଫେବୃଆରୀ ୨୦୧୯ରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଭାରତର ଇତିହାସରେ ଏକ କଳା ଅଧ୍ୟାୟ ଭାବରେ ଲିପିବଦ୍ଧ କରାଯାଇଛି। ଜୈଶ୍-ଏ- ମହମ୍ମଦର ଆକ୍ରମଣକାରୀ ଆଦିଲ ଅହମ୍ମଦ ଡାର ବିସ୍ପୋରକ ଭର୍ତ୍ତି ଗଗାଡି ସହିତ ସିଆରପିଏଫ କନଭୟ ଉପରେ ଆକ୍ରମଣ କରିଥିଲା । ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଅବନ୍ତିପୋରାର ଗୋରିପୋରା ଅଞ୍ଚଳରେ ଏହି ଭୟଙ୍କର ଘଟଣା ଘଟିଥିଲା। ଯେଉଁଥିରେ ୪୦ ଜଣ ସୈନିକ ପ୍ରାଣ ହରାଇବା ସହିତ ଅନେକ ଗୁରୁତର ହୋଇଥିଲେ ।
ଏହି ଦୁଃଖଦ ଖବର ସାରା ଦେଶକୁ ଥରାଇ ଦେଇଥିଲା । କିଏ କାହା ସ୍ୱାମୀକୁ ହରାଇ ଥିଲା ତ ଆଉ କିଏ ତାର ପୁଅକୁ ହରାଇଥିଲା । ପୁଣି ଆଉ କେଉଁଠି ଗୋଟିଏ ଭଉଣୀ ତାର ଭାଇକୁ ହରାଇ ଗୁମୁରୀ ଗୁମୁରୀ କାନ୍ଦୁଥିଲା । କେବଳ ସମ୍ପର୍କୀୟ ନୁହଁନ୍ତି ବୀର ଯବାନଙ୍କ ମୃତ୍ୟୁରେ ଭାରତ ମାତାର ବି କୋହଭରା ଚିତ୍କାର ଶୁଭୁଥିଲା । ଏହି ଘଟଣା ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଥିଲା, କାରଣ ଏହି ଆକ୍ରମଣ ପଛରେ ପାକିସ୍ତାନଭିତ୍ତିକ ଏକ ଆତଙ୍କବାଦୀ ସଂଗଠନର ହାତ ଥିଲା।
ତେବେ ଆଜିର ପୁଲୱାମା ଆକ୍ରମଣର ବାର୍ଷିକୀରେ ଶହୀଦ ବୀର ଯବାନ ମାନଙ୍କୁ ମନେ ପକାଉଛି ଦେଶ । ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ୨୦୧୯ ମସିହାର ଏହି ଦିନରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସୈନିକମାନଙ୍କୁ ମୁଁ ହୃଦୟର ସହିତ ଶ୍ରଦ୍ଧାଞ୍ଜଳି ଜଣାଉଛି। ଆତଙ୍କବାଦ ସମଗ୍ର ମାନବ ଜାତିର ସବୁଠାରୁ ବଡ଼ ଶତ୍ରୁ ଏବଂ ଏହା ବିରୋଧରେ ସମଗ୍ର ବିଶ୍ୱ ଏକତ୍ରିତ ହୋଇଛି।
ମୋଦି ସରକାର ଆତଙ୍କବାଦ ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତିରେ କାର୍ୟ୍ୟ କରୁଛି ଏବଂ ଏହି ବିପଦକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିବାକୁ ପ୍ରତିବଦ୍ଧ।ସର୍ଜିକାଲ ଷ୍ଟ୍ରାଇକ ହେଉ କିମ୍ବା ଏୟାର ଷ୍ଟ୍ରାଇକ, ମୋଦି ସରକାର ଆତଙ୍କବାଦୀଙ୍କ ବିରୋଧରେ ଏକ କଠୋର ଅଭିଯାନ ଚଳାଇଛନ୍ତି ଏବଂ ଦେଶକୁ ସୁରକ୍ଷା ଦେବା ପାଇଁ ଯେକୌଣସି ସୀମାକୁ ଯିବାକୁ ପ୍ରସ୍ତୁତ। ଭାରତ ଆତଙ୍କବାଦ ବିରୋଧରେ କୌଣସି ପ୍ରକାରର ନମ୍ରତା ଦେଖାଇବ ନାହିଁ।
ପୁଲୱାମା ଆକ୍ରମଣର ବାର୍ଷିକୀରେ ଶହୀଦ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଟୁଇଟ୍ କରି କହିଛନ୍ତି, ୨୦୧୯ ମସିହାରେ ପୁଲୱାମାରେ ଆମେ ହରାଇଥିବା ସାହସୀ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି। ଭବିଷ୍ୟତ ପିଢ଼ି ସେମାନଙ୍କର ବଳିଦାନ ଏବଂ ଦେଶ ପ୍ରତି ସେମାନଙ୍କର ଅଟଳ ସମର୍ପଣକୁ କେବେ ଭୁଲିପାରିବେ ନାହିଁ।