ନୂଆଦିଲ୍ଲୀ: ଆଜି ରୟାଲ୍ ଚ୍ୟାଲେଞ୍ଜର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍ସ । ପଞ୍ଜାବ କିଙ୍ଗ୍ସ ମଧ୍ୟ ଚଳିତ ସିଜନରେ ଏକ ଶକ୍ତିଶାଳୀ ଦଳ ରୂପେ ଉଭା ହୋଇଛି । ଉଭୟ ଦଳରେ ବହୁ ଚର୍ଚ୍ଚିତ ତାରକା ଖେଳାଳି ରହିଥିବାରୁ ଏହି ମ୍ୟାଚ୍କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ଦ୍ୱିଗୁଣା ହୋଇଛି । ଉଭୟ ରୟାଲ୍ ଚ୍ୟାଲେଞ୍ଜର୍ସ ଓ ପଞ୍ଜାବ କିଙ୍ଗ୍ସ ବର୍ତ୍ତମାନ ପଏଣ୍ଟ ତାଲିକାର ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି । ଉଭୟ ଦଳ ୬ଟି ଲେଖାଏଁ ମ୍ୟାଚ୍ ଖେଳି ୮ ପଏଣ୍ଟ ଲେଖାଏଁ ଅର୍ଜନ କରିଛନ୍ତି । ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ଜିତିଲେ ପଏଣ୍ଟ ତାଲିକାର ଶୀର୍ଷକୁ ଉନ୍ନୀତ ହୋଇପାରିବ । ପଞ୍ଜାବ କିଙ୍ଗ୍ସ ଜିତିଲେ ଦ୍ୱିତୀୟ ସ୍ଥାନ ଦଖଲ କରିବ ।
ଉଭୟ ଦଳ ଚମତ୍କାର ଫର୍ମରେ ରହିଛନ୍ତି । ତେଣୁ ମ୍ୟାଚ୍କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ପୂର୍ବ ମ୍ୟାଚ୍ଗୁଡ଼ିକ ମଧ୍ୟ ବେଶ୍ ସଂଘର୍ଷପୂର୍ଣ୍ଣ ରହିଛି । ଉଭୟ ଦଳ ଗତ ୧୭ ବର୍ଷ ମଧ୍ୟରେ ପରସ୍ପରକୁ ୩୩ଥର ଭେଟିଛନ୍ତି । ଏଥିରୁ ପଞ୍ଜାବ କିଙ୍ଗ୍ସ ୧୭ଟି ଓ ରୟାଲ ଚ୍ୟାଲେଞ୍ଜର୍ସ ୧୬ଟି ମ୍ୟାଚ ଜିତିଛନ୍ତି । ଗତ ବର୍ଷ ଉଭୟ ଦଳ ୨ଥର ସାମ୍ନା ସାମ୍ନି ହୋଇଥିଲେ । ଦୁଇ ଦିନ ତଳେ ଅନୁଷ୍ଠିତ ଏକ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ମାତ୍ର ୧୧୧ ରନ କରି ମଧ୍ୟ କୋଲକାତା ନାଇଟ୍ ରାଇଡର୍ସକୁ ୯୫ ରନ୍ରେ ଅଲ ଆଉଟ୍ କରିଥିଲା । ବୋଲିଂ ବଳରେ ମଧ୍ୟ ମ୍ୟାଚ୍ ଜିତିବାର କ୍ଷମତା ରଖିଥିବା ପଞ୍ଜାବ କିଙ୍ଗ୍ସ ପ୍ରମାଣିତ କରିଥିଲା । ଆଜି ଶ୍ରେୟାସ ଆୟରଙ୍କ ଦଳ ଗତ ବର୍ଷର ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ଆଜି ତାଙ୍କ ଇନିଂସ ମଧ୍ୟ ମ୍ୟାଚ୍ ଫଳାଫଳ ନିର୍ଣ୍ଣୟ କରିବା ଆଶା କରାଯାଉଛି ।