ପରୀ ହତ୍ୟା: ସିବିଆଇ ତଦନ୍ତ ଦାବି କଲେ ରାଜ୍ୟ ବିଜେପି ପ୍ରଭାରୀ

0

(ନୟାଗଡ): ନୟାଗଡ ଜିଲ୍ଲା ଯଦୁପୁର ଗାଁର କୁନି ଝିଅ ପରୀ ହତ୍ୟାକାଣ୍ଡକୁ ନେଇ ରାଜନୀତି ଜୋର ଧରିଛି । ନୟାଗଡକୁ ଏବେ ବିରୋଧୀ ଦଳ ନେତାଙ୍କ ସୁଅ ଛୁଟିଛି । ଏହି ପରିପ୍ରେକ୍ଷୀରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଆଜି ଯଦୁପୁର ଗାଁରେ ପହଞ୍ଚି ପରୀର ବାପା ଅଶୋକ ସାହୁ ଓ ମା ସୌଦାମିନୀ ସାହୁଙ୍କୁ ଭେଟିଛନ୍ତି । ଏହାସହ ଏକ ଛୋଟ ଝିଅର ବୀଭତ୍ସ ହତ୍ୟା କରାଯାଇଥିବା ନେଇ ରାଜ୍ୟ ସରକାରଙ୍କ ଉପରେ ସେ ପ୍ରବଳ ବର୍ଷିଛନ୍ତି । ରାଜ୍ୟ ସରକାର ହତ୍ୟାକାରୀକୁ ଖୋଜି ପାଉନଥିବା ବେଳେ ପରୀର ବାପା ମାଆଙ୍କୁ ମଧ୍ୟ ସୁରକ୍ଷା ଦେଇ ପାରୁନାହାନ୍ତି । ତେଣୁ ଏଭଳି ସରକାର ସାରା ରାଜ୍ୟବାସୀଙ୍କୁ କିଭଳି ସୁରକ୍ଷା ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି ।
ପରୀ ପରିବାର ଠାରୁ ପୁରନ୍ଦେଶ୍ରରୀ ସମସ୍ତ ଘଟଣା ପଚାରି ବୁଝିବା ସହ ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନ ପରିଦର୍ଶନ କରିଛନ୍ତି । ତେବେ ଏହା କେବଳ ହତ୍ୟା ନୁହେଁ, ଅଙ୍ଗ ତସ୍କରୀ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । ତଦନ୍ତ ପାଇଁ ଗଠିତ ଏସଆଇଟି ତଥା ଏହାର ମୁଖ୍ୟଙ୍କ କୌଣସି ପୋଲିସ କ୍ଷମତା ନାହିଁ । ଏହି ଘଟଣାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ । ପରୀର ବାପା ମାଆଙ୍କୁ ନ୍ୟାୟ ନମିଳିବା ଯାଏ ଲଢେଇ ଜାରି ରହିବ ବୋଲି ସେ କହିଛନ୍ତି । ପୁରନ୍ଦେଶ୍ୱରୀଙ୍କ ସହ ରାଜ୍ୟ ସଭାପତି ସମୀର ମହାନ୍ତି, ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂଦେଓ ଓ ଲେଖାଶ୍ରୀ ସାମନ୍ତରାୟ ପ୍ରମୁଖ ଯଦୁପୁର ଗସ୍ତ କରିଛନ୍ତି ।