(ରିିପୋର୍ଟସ ଟୁଡ଼େ / ପୁରୀ ):ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର କାର୍ୟ୍ୟାଳୟରେ ପରିଚାଳନା କମିଟି ବୈଠକ ବସିଥିଲା । ଶ୍ରୀମନ୍ଦିର ପାଣ୍ଠି ବ୍ୟାଙ୍କରେ ରଖାଯିବା ପ୍ରସଙ୍ଗରେ ବୈଠକରେ ଆଲୋଚନା କରାଯାଇଛି । ଯେଉଁ ବ୍ୟାଙ୍କ ସର୍ବାଧିକ ସୁଧ ଦେବ ତା ପାଖରେ ୫୦% ଅର୍ଥ ଜମା ରହିବ । ଏହାପରେ ତା ତଳକୁ ସୁଧ ପ୍ରସ୍ତାବ ଦେଇଥିବା ଅନ୍ୟ ୨ଟି ବ୍ୟାଙ୍କକୁ ଟଙ୍କା ଜମା ପାଇଁ ପ୍ରସ୍ତାବ ଦିଆଯିବ । ଉକ୍ତ ୨ ବ୍ୟାଙ୍କ ପ୍ରଥମ ବ୍ୟାଙ୍କ ଭଳି ସୁଧ ଦେଲେ ସେଠି ମଧ୍ୟ ଟଙ୍କା ରଖାଯିବ । ଗୋଟିଏ ବ୍ୟାଙ୍କରେ ନ ରଖି ୨, ୩ଟି ଜାତୀୟକରଣ ବ୍ୟାଙ୍କରେ ଟଙ୍କା ରଖାଯିବ ବୋଲି ବୈଠକ ସରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି ।
ପରିଚାଳନା କମିଟି ବୈଠକରେ ଉପଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଏଏସଆଇ ଅଧିକାରୀ ଏବଂ ବିଭିନ୍ନ ନିଯୋଗର ପରିଚାଳନା କମିଟି ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ । ଏହି ବୈଠକରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଚିହ୍ନଟ ପାଇଁ କମିଟି ଗଠନ ହେବ । ରାଜସ୍ୱ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହେବା ନେଇ ନିଷ୍ପତି ହୋଇଛି ।