ପୁରୀ: ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଆଜି ଭୋଇ ସେବକମାନେ ରଥ ଭଙ୍ଗା କାର୍ଯ୍ୟ କରିଛନ୍ତି । ତେବେ ପ୍ରଥମେ ମା’ ସୁଭଦ୍ରାଙ୍କ ଦେବଦଳନ ରଥର କଳସରୁ ଭଙ୍ଗା କାମ ଆରମ୍ଭ ହୋଇଛି । ମୁଖ୍ୟ ଭୋଇ ସର୍ଦ୍ଦାରଙ୍କ ନିର୍ଦ୍ଦେଶକ୍ରମେ ୫ ଜଣ ପ୍ରମୁଖ ଭୋଇ ଉପସ୍ଥିତ ରହି ରଥଭଙ୍ଗା କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ମହାପ୍ରଭୁଙ୍କର ଏହି ରଥଭଙ୍ଗା କାମରେ ମୋଟ ୨୦ ଜଣ ଭୋଇ ସେବାକମାନେ ୧୨ ଦିନ ଭିତରେ ୩ ରଥକୁ ଭାଙ୍ଗିବେ । ପ୍ରଥମେ ଦେବଦଳନ, ପରେ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବା ପରମ୍ପରା ରହିଛି । ସେହିଭଳି ମହାପ୍ରଭୁଙ୍କ ଏହି ଭଙ୍ଗା ରଥକାଠକୁ ସଂଗ୍ରହ କରି ଘରେ ରଖିଥାନ୍ତି ଭକ୍ତମାନେ ।ବିଶ୍ୱାସ ରହିଛି, ରଥକାଠ ଘରେ ରଖିବା ଦ୍ୱାରା ସବୁ ଦୁଃଖ କଷ୍ଟ ଦୂର ହୋଇଯାଇଥାଏ । ରଥର ଚକ, ପ୍ରଭା, ଦ୍ୱାର ବେଢା, କଣଗୁଜକୁ ଶ୍ରୀମନ୍ଦିର ପ୍ରଶାସନ ନିଲାମ କରିଥାଏ ଏବଂ ଅନ୍ୟ ଟୁକୁରା କାଠ ମହାପ୍ରଭୁଙ୍କ କୋଠଭୋଗ ପ୍ରସ୍ତୁତିରେ ଜାଳ ଭାବେ ବ୍ୟବହାର ହୋଇଥାଏ ।