(ଶୁଭସ୍ମିତା ଦାଶ): ସତେ ଯେପରି ଅଶାନ୍ତି ଘେର ମଧ୍ୟରେ ଶ୍ରୀ ମନ୍ଦିର ରହିଛି । ବଡ଼ଦାଣ୍ଡରେ ଲଙ୍କାକାଣ୍ଡ ଘଟଣା ପରଠୁ ପ୍ରତି ଦିନ ଶ୍ରୀ ମନ୍ଦିର ଚର୍ଚ୍ଚାରେ ରହିଆସୁଛି । କେବେଳ ଯେ ଲଙ୍କା କାଣ୍ଡ ବଡ଼ ଦାଣ୍ଡ ମଧ୍ୟରେ ସୀମିତ ରହିଛି ତାହା ନୁହେଁ । ସ୍ୱଂୟ ଜଗତର ନାଥ ଜଗନ୍ନାଥ ମଧ୍ୟ ଏଥିରୁ ବାଦ ପଡ଼ି ନାହିଁନ୍ତି । ଯାହାଦ୍ୱାରା ମହାପ୍ରଭୁଙ୍କ ସେବା ମଧ୍ୟ ଠିକ୍ ସମୟ ମଧ୍ୟରେ ହୋଇପାରୁ ନଥିବା ଦେଖିବାକୁ ମିଳୁଛି । ସୋମବାର ଶ୍ରୀମନ୍ଦରରେ ଶ୍ରୀଜିଉଙ୍କ ବିମାନ ବଡୁ ନୀତି ବନ୍ଦ ରହିଛି । ଗତ ୩ ତାରିଖରେ ଧାଡି ଦର୍ଶନକୁ ନେଇ ପୁରୀରେ ଘଟିଥିବା ହିଂସାକାଣ୍ଡରେ ପୁଲିସ ୨ ଜଣ ବିମାନ ବଡୁ ସେବାୟତଙ୍କୁ ଗିରଫ କରିଥିଲା । ଏହାର ପ୍ରତିବାଦରେ ଆଜି ସୋବାୟତମାନେ ଆନ୍ଦୋଳନ କରିଛନ୍ତି । ଫଳରେ ବିମାନ ବଡୁ ନୀତି ବନ୍ଦ ରହିଛି । ପୁରୀ ହିଂସା ଘଟଣାରେ ପୁଲିସ ଗିରଫଦାରୀର ସିଧା ପ୍ରଭାବ ମହାପ୍ରଭୁଙ୍କ ସେବା ଉପରେ ପଡିଛି । ରବିବାର ଶ୍ରୀମନ୍ଦିରରେ ବିମାନବଡୁ ସେବକ ନୀଳକଣ୍ଠ ଦାସଙ୍କୁ ପୁଲିସ ଗିରଫ କରିବା ପରେ ଗତକାଲି ମହାପ୍ରଭୁଙ୍କ ନୀତି ୪ ଘଂଟା ବିଳମ୍ବିତ ହୋଇଛି । ବିମାନବଡୁ ସେବକ ପାଲିଙ୍କି ନ ଉଠାଇବାରୁ ଦୁର୍ଗାମାଧବ ବିମଳା ମନ୍ଦିରକୁ ବିଳମ୍ବରେ ବିଜେ କରିଥିଲେ । ଦୁର୍ଗାମାଧବ ପ୍ରାୟ ୪ଘଂଟା କାଳ ମୁକ୍ତି ମଣ୍ଡପ ସମ୍ମୁଖରେ ଅସହାୟ ହୋଇ ପାଲିଙ୍କି ଉପରେ ବସି ରହିଥିଲେ । ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ବିଳମ୍ବିତ ହୋଇଥିବାବେଳେ ଅପରାହ୍ନ ପ୍ରାୟ ୫ଟାବେଳେ ଦ୍ୱିପ୍ରହର ଧୂପ ନୀତି ହୋଇଥିଲା । କେବଳ ଏତିକି ନୁହେଁ ସେବା ବନ୍ଦ୍ କରିବାକୁ ମଧ୍ୟ ଧମକ ମିଳିଛି । ବିମାନବଡୁ ସେବକଙ୍କ ଏପ୍ରକାର ଚେତାବନୀକୁ ନେଇ ବର୍ତମାନ ମନ୍ଦିର ପ୍ରଶାସନ ଅଡୁଆରେ ପଡିଛି । ପୁଲିସ ଅନ୍ୟ କିଛି ନିଯୋଗ ସେବାୟତଙ୍କ ନାମରେ ମାମଲା ରୁଜୁ କରିଥିଲେ ହେଁ ସେମାନଙ୍କୁ ଗିରଫ କରିବ କି ଛାଡିବ ସେ ନେଇ ସନ୍ଦେହ ଉପୁଜିଛି ।
ସୂଚନାଯୋଗ୍ୟ, ଗତ ୩ ତାରିଖ ବନ୍ଦ ଘଟଣାରେ ପୁଲିସ ରବିବାର ଦିନ ବିମାନବଡୁ ସାହିର ନୃସିଂହଙ୍କୁ ତାଙ୍କୁ ଘରୁ ଉଠାଇ ଆଣିଥିଲା। ଏହି ଘଟଣାକୁ ନେଇ ବିମାନବଡୁ ସେବକ ପୁଲିସ ଉପରେ କ୍ଷୁବ୍ଧ ଥିଲେ । ତେବେ ଦେଖିବାକୁ ବାକି ରହିଲା ଯେ ପ୍ରତିଦିନ ମନ୍ଦିର ଭିତରେ ଦେଖାଯାଉଥିବା ଅବ୍ୟବସ୍ଥାରେ କେବେ ସୁଧାର ଆସୁଛି ।