ପୁରୀ: ସକାଳୁ ସକାଳୁ ଶରଧାବାଲିରେ ଘଟିଛି ବଡ ଅଘଟଣ । ମହାପ୍ରଭୁଙ୍କ ଦର୍ଶନ ବେଳେ ଉପୁଜିଛି ଦଳାଚକଟା ପରିସ୍ଥିତି । ଦଳାଚକଟାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେବେ ରଥଯାତ୍ରାରେ ଏପରି ବିଶୃଙ୍ଖଳା ସ୍ଥିତି ପାଇଁ ପରସ୍ପର ଉପରକୁ ଦୋଷ ଲଦାଲଦି ହେଉଛନ୍ତି ସରକାର ଓ ପ୍ରଶାସନ । ସାଧାରଣରେ ଏନେଇ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏବେ ଏଥିପାଇଁ ଶାସକ-ବିରୋଧି ମଧ୍ୟ ମୁହାଁମୁହିଁ ହେଲେଣି ।
ଗତବଷ ର୍ଠୁ ରଥଯାତ୍ରାରେ ଗୋଟେ ପରେ ଗୋଟେ ବିଶୃଙ୍ଖଳା ସାମ୍ନାକୁ ଆସୁଥିବାରୁ ସାଧାରଣରେ ସରକାରଙ୍କ ବିରୋଧରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଲାଣି । ଗତବର୍ଷ ବଡ ଠାକୁର ପଡିଯିବା ଘଟଣାରେ ଏଯାବତ୍ ସଠିକ୍ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ବେଳେ ଚଳିତ ବର୍ଷର ବିଶୃଙ୍ଖଳା ସରକାର ଓ ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଉଛି । ଚଳିତବର୍ଷ ରଥଯାତ୍ରା ଦିନ ମହାପ୍ରଭୁଙ୍କ ରଥ ନ ଗଡିବା ଏବଂ ବିଧି ଅନୁଯାୟୀ ସୂର୍ଯ୍ୟାସ୍ତ ପରେ ମାତ୍ର ଏକ ପାଦ ରଥ ଗଡିବାକୁ ନେଇ ଆଇନ ମନ୍ତ୍ରୀ ଜଗନ୍ନାଥଙ୍କ ଇଚ୍ଛା କହି ଖସିଯାଇଥିଲେ । କିନ୍ତୁ ଆଜି ସକାଳୁ ଶରଧାବାଲିରେ ଉପୁଜିଥିବା ପରିସ୍ଥିତି ଏବେ ସରକାରଙ୍କୁ ଆହୁରି ଅଡୁଆ ମଧ୍ୟକୁ ଟାଣି ଅଣିଛି ।
ଘଟଣାପରେ ଆଇନ ମନ୍ତ୍ରୀ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛି, ମୁଖ୍ୟମନ୍ତ୍ରୀ ଖୁବ ଶୀଘ୍ର ଏନେଇ ପଦକ୍ଷେପ ନେବେ ଏବଂ ଆକ୍ସନ ଓ ତଦନ୍ତ ନେଇ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ କହି ମୁହଁ ବୁଲାଇ ଦେଇଥିଲେ । ସେପଟେ କିନ୍ତୁ ପ୍ରଶାସନିକ ଢିଲା ବ୍ୟବସ୍ଥାକୁ ଦାୟୀ କରିଛନ୍ତି ଶ୍ରଦ୍ଧାଳୁ । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ବେଳେ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ନଥିବା ନେଇ ଅଭଯୋଗ କରିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଏପରିକି ଲୋକ ପଡି ଗୁରୁତର ହୋଇ ପାଣି ଟୋପେ ମାଗିବାରୁ ମଧ୍ୟ ପାଣି ମିଳିନଥିଲା ବୋଲି ଅଭିଯୋଗ ଆସୁଛି । କିନ୍ତୁ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୁରୀ ଏସପି । ରଥ ଚାରିପାଖେ ପୋଲିସ କର୍ମୀ ମୁତୟନ ଥିଲେ, ପୋଲିସ ଭିଡ ଭିତରେ ନଥିବା କଥା ସମ୍ପୁର୍ଣ୍ଣ ଭୁଲ ବୋଲି କହି ନିଜ ଉପରୁ ଦୋଷ ଖସାଇ ଦେଇଛନ୍ତି ଏସପି ।
ଅନ୍ୟପଟେ ଠେଲାପେଲାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜିଲ୍ଲାପାଳ ସ୍ପଷ୍ଟ କରିଥିବା ବେଳେ ପହୁଡ ଖୋଲିବା ପରେ ହଠାତ୍ ଭକ୍ତଙ୍କ ଭିଡ ଦେଖାଦେଇଥିଲା । ଭିଡ ପାଇଁ ପ୍ରାୟ ୯ ଜଣ ଅଣନିଶ୍ୱାସୀ ହୋଇ ଯାଇଥିଲେ । ତେବେ କିପରି ଏ ଘଟଣା ଘଟିଲା ସେନେଇ ଅନୁଧ୍ୟାନ କରିବୁ ଏବେ କିନ୍ତୁ ଦର୍ଶନ ବ୍ୟବସ୍ଥା ଦେଖୁଛୁ କହି ଉହରି ଯାଇଥିଲେ ପୁରୀ ଜିଲ୍ଲାପାଳ । ତେବେ ଏ ଘଟଣା ନେଇ ଘଟଣାସ୍ଥଳରେ ସ୍ଥିତି ପରଖିଛନ୍ତି ଡିଜିପି ୱାଇ ବି ଖୁରାନିଆ । ସ୍ଥିତି ଅନୁଧ୍ୟାନ କରି ପୋଲିସର ନିର୍ଦ୍ଦେଶ ସମସ୍ତେ ମାନନ୍ତୁ, ଭକ୍ତ ମୋବାଇଲରେ ଫଟୋ ନେବାରୁ ଏଭଳି ସମସ୍ୟା ଉପୁଜିଛି କହି ସେ ମଧ୍ୟ ନିଜ ଉପରୁ ଦୋଷ ଖସାଇଦେଛନ୍ତି ।
ସେପଟେ ଏନେଇ ଏବେ ରାଜନୀତି ମଧ୍ୟ ସରଗରମ ହୋଇଛି । ସରକାରଙ୍କ ପାରିବା ପଣିଆ ଏବଂ ମନ୍ତ୍ରୀଙ୍କ କାର୍ଯ୍ୟ ଉପରେ କାଦୁଅ ପକେଇଛନ୍ତି ବିରୋଧି । ବାରାମ୍ବାର ଏଭଳି ଅବ୍ୟବସ୍ଥା, ଲୋକଙ୍କ ପ୍ରାଣହାନୀ ଏବେ ସରକାରଙ୍କ ବେକରେ ବୋଝ ପାଲଟିଗଲାଣି । ଏଘଟଣା ନେଇ ଏବେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ପୁରୀ ଅଘଟଣ ନେଇ ସମବେଦନା ଜଣାଇବା ସହ ମହାପ୍ରଭୁଙ୍କ ନିକଟରେ ଆହତଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏଥିସହ ଭିଡ଼କୁ ପରିଚାଳନା କରିବା ପାଇଁ କୌଣସି ସରକାରୀ ବ୍ୟବସ୍ଥା ନଥିଲା ବୋଲି କହିଛନ୍ତି ନବୀନ । ସେହିପରି ନନ୍ଦିଘୋଷ ଟାଣିବାରେ ବିଳମ୍ବକୁ ମହାପ୍ରଭୁଙ୍କ ଇଚ୍ଛା କହିବା ସବୁଠୁ ଆଶ୍ଚର୍ୟ୍ୟଜନକ କଥା । ଶାସକ ଦଳର ବାହାନା କରିବା ବି ଆଶ୍ଚର୍ୟ୍ୟଜନକ । ଏଥିପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ । ଆଡ଼ପ ବିଜେ, ବାହୁଡା, ସୁନାବେଶ ପାଇଁ ସଂଶୋଧନମୂଳକ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ନବୀନ ।
ଶେଷରେ ଶରଧା ବାଲିରେ ଦଳାଚକଟାରେ ୩ ମୃତ୍ୟୁ ଘଟଣାରେ ଅବହେଳା ଅକ୍ଷମଣୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ଏହି ଘଟଣା ପାଇଁ ମୁଁ ଓ ମୋ ସରକାର କ୍ଷମା ମାଗୁଛୁ । ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରାଯିବ । ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।