ପୁରୀ: ଅଣସର ଘରେ ସୁସ୍ଥ ପରେ ମହାପ୍ରଭୁଙ୍କର ଆଜି ବନକଲାଗି ନୀତି । ଆସନ୍ତାକାଲି ସକାଳୁ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ କରିବେ ଭକ୍ତ । ଦତ ମହାପାତ୍ର ସେବାୟତଙ୍କ ଦ୍ୱାରା ଏହି ନୀତି ସମ୍ପନ୍ନ ହେବ । ଆସନ୍ତାକାଲି ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ରହିଥିବାରୁ ସକାଳ ୬ଟାରେ ଚକାଅପସର, ୬ଟା ୧୦ରେ ମଙ୍ଗଳ ଆଳତୀ, ମଇଲମ, ଅବକାଶ ଓ ସାଢ଼େ ୭ଟାରେ ଦଶଅବତାର ଠାକୁର ବାହୁଡ଼ା ବିଜେ, ସକାଳ ୮ଟାରେ ଅଣସର ତାଟି ଓ ପଟିଦିଅଁ ବିସର୍ଜନ ତାପରେ ଆରମ୍ଭ ହେବ ଭିତରକାଠ ନିକଟରେ ପରମାଣିକ ଦର୍ଶନ ୯ଟା ପର୍ୟ୍ୟନ୍ତ ହେବ । ଏବଂ ୯ଟା ଠାରୁ ୧୧ ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ହେବ ।
ସେପଟେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ରଥଯାତ୍ରା ବେଳେ ପୁରୀକୁ ଜଗିବେ ୧୮୦ ପ୍ଲାଟୁନ୍ ପୋଲିସ ଫୋର୍ସ । ସିସିଟିଭି କ୍ୟାମେରା ଓ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ସହର ଉପରେ ରଖାଯିବ ତୀକ୍ଷ୍ଣ ନଜର । ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଓ ପୋଲିସ ସେବା ମନୋଭାବ ନେଇ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରାଥମିକତା ଦିଆଯାଇଛି ।