ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) କୁ ବଡ଼ ସଫଳତା । ଶୁକ୍ରବାର କର୍ଣ୍ଣାଟକର ଚିତ୍ରଦୁର୍ଗଠାରେ ‘ପୁଷ୍ପକ’ ବିମାନକୁ ସଫଳତାର ସହ ଅବତରଣ କରିଛି। ଟୁଇଟ ମାଧ୍ୟମରେ ଏହି ସୂଚନା ଦେଇଛି ଇସ୍ରୋ । ଇସ୍ରୋ ଅଧ୍ୟକ୍ଷ ଏସ.ସୋମନାଥଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଶୁକ୍ରବାର ସକାଳ ୭ଟା ୧୦ମିନିଟରେ କର୍ଣ୍ଣାଟକର ଚିତ୍ରଦୁର୍ଗର ଏରୋନଟିକାଲ୍ ଟେଷ୍ଟ ରେଞ୍ଜର ରନୱେରେ ପୁଷ୍ପକ ସଫଳତା ପୂର୍ବକ ଅବତରଣ କରିଛି । ଗତ ବର୍ଷ ଇସ୍ରୋ ପରୀକ୍ଷଣ ସମୟରେ ବାୟୁସେନାର ଚିନୁକ୍ ହେଲିକପ୍ଟରରୁ ସାଢେ ୪ କିଲୋମିଟର ଉପରୁ ଆରଏଲଭିକୁ ଛାଡି ଦେଇଥିଲା । ପୁଷ୍ପକ ଯାନକୁ ଇସ୍ରୋ ବିକଶିତ କରିଛି । ଏଥିରେ ଟେକ୍ନିକାଲ ନାଭିଗେସନ, କଣ୍ଟ୍ରୋଲ ସିଷ୍ଟମ, ଲ୍ୟାଣ୍ଡିଂ ଗିୟର ଏବଂ ଡିକ୍ଲୋରାସେନ ସିଷ୍ଟମ ରହିଛି । ପୂର୍ବ ପରୀକ୍ଷଣ ଅପେକ୍ଷା ଏଥର ଇସ୍ରୋ ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନରେ ଏୟାରଫ୍ରେମ୍ ଷ୍ଟ୍ରକ୍ଟର ଏବଂ ଲ୍ୟାଣ୍ଡିଂ ଗିୟରକୁ ଅଧିକ ଶକ୍ତିଶାଳୀ କରିଛି । ୱିଙ୍ଗେଡ ପୁଷ୍ପକ (ଆରଏଲଭି-ଟିଡି) ଲଞ୍ଚ ହେବା ପରେ ସଠିକତା ସହିତ ରନୱେରେ ସଫଳତାର ସହ ଅବତରଣ କଲା।