(ଶିଳାସ୍ମିତା ରାୟ) ଭୁବନେଶ୍ୱର: ସାଉଥ ଆଫ୍ରିକା ବିପକ୍ଷରେ ତିନୋଟି ମ୍ୟାଚର ଟେଷ୍ଟ ସିରିଜ ପାଇଁ ବିସିସିଆଇର ବରିଷ୍ଠ ଚୟନ ସମିତି ୧୫ ସଦସ୍ୟ ବିଶିଷ୍ଠ ଭାରତୀୟ ସ୍କ୍ୱାଡରେ ୨୦ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ ଶୁଭମନ ଗିଲଙ୍କୁ ସୁଯୋଗ ଦେଇଛି । ଶୁଭମନଙ୍କୁ ଯଦିଓ ୧୫ ସଦସ୍ୟ ଟିମରେ ସାମିଲ କରାଯାଇଛି, କିନ୍ତୁ ପ୍ଲେଇଙ୍ଗ ଇଲେଭେନରେ ତାଙ୍କୁ ଜାଗା ମିଳିବା କଷ୍ଟକର ଲାଗୁଛି । ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ୨ ଅକ୍ଟୋବରରୁ ବିଶେଖାପାଟନମରେ, ଦ୍ୱିତୀୟ ୧୦ ଅକ୍ଟୋବର ପୁଣେ ଓ ଦୃତୀୟ ୧୯ ଅକ୍ଟୋବର ରାଞ୍ଚିରେ ଖେଳା ଯିବ ।
ପୂର୍ବରୁ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ସ୍ପଷ୍ଟ କରିଦେଇଛନ୍ତି କି, ଏବେ ଟେଷ୍ଟ ମ୍ୟାଚରେ ରୋହିତଙ୍କୁ ମଧ୍ୟ ଓପନିଂର ଦାୟିତ୍ୱ ଦିଆଯିବ । ସେ ମୟଙ୍କଙ୍କ ସହ ମ୍ୟାଚର ଆରମ୍ଭ କରିବେ । ଅପରପକ୍ଷରେ ଶୁଭମନ ଓପନର ଭାବେ ଭଲ ପ୍ରଦର୍ଶନ କରିଛନ୍ତି । ଶୁଭମନ ଏବେ ତିରୁବନନ୍ତପୁରମରେ ଅଛନ୍ତି । ଯେଉଁଠାରେ ସେ ଅଧିନାୟକ ଭାବେ ଇଣ୍ଡିଆ- ଏ କୁ ଦକ୍ଷିଣ ଆଫିକା-ଏ ବିପକ୍ଷରେ ଅନଅଫିସିଆଲ ଟେଷ୍ଟ ମ୍ୟାଚରେ ବିଜୟ କରିଥିଲେ । ଏହି ଖେଳର ପ୍ରଥମ ମ୍ୟାଚରେ ସଲାମି ବ୍ୟାଟସମ୍ୟାନ ଶୁଭମନ ୯୦ ରନ କରିଥିଲେ । କିନ୍ତୁ ଦ୍ୱିତୀୟ ପାଳିରେ ସେ ମାତ୍ର ୫ ରନ ଏକାଠି କରିବାରେ ସକ୍ଷମ ହୋଇଥିଲେ । ଏହା ସତ୍ତେ୍ୱ ଓପନିଂରେ ତାଙ୍କୁ ସୁଯୋଗ ମିଳିବା କଷ୍ଟକର ।
ଶୁଭମନଙ୍କ ସବୁଠାରୁ ବଡ ସ୍ୱତନ୍ତ୍ରତା କି ସେ ଓପନିଂ କରିବା ସହ ମିଲିଡ ଅଡରରେ ମଧ୍ୟ ଫିଟ ହୋଇଥାନ୍ତି । କିନ୍ତୁ ସେଠାରେ ମଧ୍ୟ ତାଙ୍କୁ ସୁଯୋଗ ମିଳିବାର ସମ୍ଭାବନା କମ । ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ପାଇଁ ନମ୍ବର ତିନରେ ତେତେଶ୍ୱର ପୂଜାରୀ, ନମ୍ବର ୪ରେ ଅଧିନାୟକ ବିରାଟ କୋହଲି, ୫ରେ ଉପ ଅଧିନାୟକ ଅଜିଂକ୍ୟ ରହାଣେ, ୬ରେ ହନୁମା ବିହାରୀଙ୍କୁ ଚୟନ କରାଯାଇଛି । ଏପରି ସ୍ଥଳେ ଶୁଭମନ କେଉଁଠାରେ ବ୍ୟାଟିଂ କରିବେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।