ଭୁବନେଶ୍ୱର: ରାଜ୍ୟରେ ସ୍ୱଚ୍ଛ ଶାସନର ପରାକାଷ୍ଠା ଦେଖାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ପ୍ରଣୟନ କରିଛନ୍ତି । ଯହାଦ୍ୱାରା ରାଜ୍ୟର ସବୁ ସରକାରୀ କ୍ଷେତ୍ରରେ ହେଉଥିବା ଦୁର୍ନୀତି ଲୋପ ପାଇବା ସହ ରାଜ୍ୟବାସୀ ନିଶ୍ଚିତ ହୋଇ ସେମାନଙ୍କ କାର୍ଯ୍ୟ ଶୃଙ୍ଖଳିତ ଭାବେ କରିପାରିବେ । କିନ୍ତୁ ଏହା ଦ୍ୱାରା ଦୁର୍ନୀତିର ଚେର ଉପୁଡୁଛି ନା ମାଡୁଛି, ତାହା ଅଳ୍ପବହୁତେ ରାଜ୍ୟବାସୀ ଅନୁଭବ କରିସାରିଲେଣି । ତେଣୁ ଏପରି ଯୋଜନା ଦୀର୍ଘସ୍ଥାୟୀ ନା କ୍ଷଣସ୍ଥାୟୀ ତାହା ଆଗାମୀ ଦିନରେ ଜଣାପଡିବ ।
ରାଜ୍ୟ ୫ଟି ପଦ୍ଧତି କେତେଦୂର କାର୍ଯ୍ୟକାରୀ ହେଉଛି, ତାହା ସମସ୍ତଙ୍କ ମନରେ ପ୍ରଶ୍ନ ଜାଗ୍ରତ କରିଛି । ଲୋକମାନେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ସ୍ୱଚ୍ଛ ଓ ନିର୍ମଳ ସେବା ପାଇବା ପାଇଁ ସରକାରଙ୍କ ଏହି ନିର୍ଦ୍ଦେଶକୁ କିଏ କେତେଦୂର ପାଳନ କରୁଛନ୍ତି, ତାହା ମଧ୍ୟ ସମସ୍ତେ ଦେଖୁଛନ୍ତି । ୫ଟି ଜରିଆରେ ରାଜ୍ୟକୁ ରୂପାନ୍ତର କରିବାକୁ ସରକାରଙ୍କ ଏହି ଯୋଜନାକୁ ରାଜ୍ୟର ପ୍ରାୟ ଅଧିକାଂଶ ସରକାରୀ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ପାଳନ କରୁନଥିବା ଅଭିଯୋଗ ହେଉଛି । ତେଣୁ ଭଗବାନ କହିଛନ୍ତି ୫ଟି ଜରିଆରେ ଯଦି ରୂପାନ୍ତର କରିବାକୁ ଚାହୁଁଛ, ତେବେ ଆଇନ୍, ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଆବଶ୍ୟକ । ଯଦି ଆଇନ୍ ବ୍ୟବସ୍ଥା ସୁଦୃଢ଼ ନହୁଏ, ତେବେ ଲୋକମାନେ ନ୍ୟାୟ ପାଇବାକୁ ଅଧିକ ଅସୁବିଧାର ସମ୍ମୁଖିନ ହେବେ ।
ତ୍ୱରିତ ସେବା ପାଇବା ପରିବର୍ତ୍ତେ ନ୍ୟାୟ ପାଇବା ଲାଗି ବର୍ଷ ବର୍ଷ ସମୟ ଲାଗିଯିବ । ଯହାଦ୍ୱାରା ଲୋକମାନେ ଅଧିକ ଖର୍ଚ୍ଚାନ୍ତ ହେବା ସମ୍ଭାବନା ରହିଛି । ତେଣୁ ଏଥିପାଇଁ ସରକାର ଯତ୍ନବାନ ହେବା ଆବଶ୍ୟକ ରହିଛି । ସେହିପରି ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ମଧ୍ୟ ଢ଼ିଲା । ପ୍ରାଥମିକ ଶିକ୍ଷାଠୁ ନେଇ ଉଚ୍ଚଶିକ୍ଷା ଦିଗରେ ଛାତ୍ରଛାତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ସତ୍ତେ୍ୱ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ତାହା ଅନେକ ସ୍ଥାନରେ ଫଳପ୍ରଦ ହେଉନଥିବା ଅଭିଯୋଗ ହେଉଛି । ଫଳରେ ପ୍ରାଥମିକ ସ୍ତରରେ ହେଉ ବା ହାଇସ୍କୁଲ ସ୍ତରରେ ପିଲାମାନେ ଅଧାରୁ ପାଠ ଛାଡ଼ି ଦେଉଥିବା ନେଇ ପ୍ରମାଣର ଅଭାବ ନାହିଁ । ସ୍କୁଲରେ ମଧ୍ୟାହ୍ନ ଭୋଜନ, ପୋଷାକ, ଜୋତା, ପାଠ୍ୟ ଉପକରଣ ସରକାର ଯୋଗାଉଥିଲେ ବି ଛାତ୍ରଛାତ୍ରୀ ଆକର୍ଷିତ ନହେବା ଚିନ୍ତାର ବିଷୟ ହୋଇଛି । ଅନେକ କ୍ଷେତ୍ରରେ ଶିକ୍ଷକ, ଶିକ୍ଷୟିତ୍ରୀ ବା ବିଭାଗୀୟ ଅଧିକାରୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଛାତ୍ରଛାତ୍ରୀ ହଷ୍ଟେଲ ବା ସ୍କୁଲ ଛାଡ଼ୁଥିବା ଦେଖିବାକୁ ମିଳୁଛି ।
ଏପରିକି ସରକାରୀ ସ୍କୁଲ ପରିବର୍ତ୍ତେ ବେସରକାରୀ ସ୍କୁଲ ପ୍ରତି ଛାତ୍ରଛାତ୍ରୀ ବା ସେମାନଙ୍କ ଅଭିଭାବକ ମାନେ ମନ ବଳାଉଥିବା ଦେଖିବାକୁ ମିଳୁଛି । ଯାହା ଶିକ୍ଷା ବିଭାଗର ଅପାରଗତାକୁ ପଦାରେ ପକାଉଛି । ସେହିପରି ସ୍ୱାସ୍ଥ୍ୟ ବିଭାଗର ଅବସ୍ଥା ନକହିଲେ ଭଲ । ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ଦିଗରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା କରୁଛନ୍ତି । କିନ୍ତୁ ତାକୁ କାର୍ଯ୍ୟକାରୀ କରିବାରେ ବିଭାଗୀୟ ଅଧିକାରୀ, କର୍ମଚାରୀ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି । ଫଳରେ ରୋଗୀମାନେ ସେବା ପାଇବା ପରିବର୍ତ୍ତେ ଶୋଷଣର ଶିକାର ହେଉଥିବା ଦେଖିବାକୁ ମିଳୁଛି ।
ସରକାରୀ ଡାକ୍ତରଖାନାରେ ମାଗଣା ଔଷଧ ଓ ଚିକିତ୍ସା ସେବାର ବ୍ୟବସ୍ଥା ଥିଲେ ବି କୃତ୍ରିମ ଅଭାବ ଦର୍ଶାଇ ରୋଗୀମାନଙ୍କୁ ବେସରକାରୀ ଡାକ୍ତରଖାନାକୁ ପଠାଇ ସେମାନଙ୍କୁ ଅଧିକ ଖର୍ଚ୍ଚାନ୍ତ କରିବା ସହ ସରକାରୀ ହସ୍ପିଟାଲର ଡାକ୍ତର ଓ କର୍ମଚାରୀ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟର ପରିମାଣ ବୃଦ୍ଧି କରିବାରେ ଲାଗି ପଡ଼ିଛନ୍ତି । ଆଉ ଆଇନ୍ ଆଖିରେ ତ ପରଳ ପଡିଛି । ଯିଏ ଯେତେ ଦୁର୍ନୀତି କଲେ ବି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଖୁବ କମ୍ ଦେଖିବାକୁ ମିଳୁଛି । ଯଦିଓ ସମୁଦ୍ରକୁ ଶଙ୍ଖେ ପରି ହାତଗଣତି କିଛି ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସରକାର ବାହାବା ନେବାରେ ଲାଗିଛନ୍ତି । ତେଣୁ ଆଇନ୍ ଆଖିରୁ ପରଳ ଉଠାଇ ଶିକ୍ଷା, ସ୍ୱାସ୍ଥ୍ୟ ଓ ଆଇନ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ କଲେ ହୁଏତ ୫ଟି ଜରିଆରେ ରୂପାନ୍ତରଣ ଅଭିଯାନ ସଫଳ ହେବ ବୋଲି ଆଶା କରାଯାଏ ।