ରଘୁଙ୍କ ଆନୁଗତ୍ୟରେ ପରିବର୍ତ୍ତନର କାରଣ!

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି । ଗତ କାଲି ସେ ଉଠା ଜଳ ସେଚନ ବିଭାଗର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ଅବସରରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି, ଦଳରୁ ନୁହେଁ । ସେ ଦଳର ଉପ ସଭାପତି ପଦରେ ରହିଛନ୍ତି । ଏହାପରେ ରଘୁ ଜଣେ ପ୍ରକୃତ ବିଜେଡି ପ୍ରେମୀ ବୋଲି ଲୋକେ ମନେ କରିଥିଲେ ।
କିନ୍ତୁ ଆଜି ସକାଳୁ ସେ ଦଳରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପରେ ସେ କହିଛନ୍ତି, ଦଳର ସେ ଜଣେ ପ୍ରତିଷ୍ଠାତା ସଦସ୍ୟ । ଦଳ ବହୁ ପ୍ରତିଷ୍ଠାତା ସଦସ୍ୟଙ୍କ ସହ କଣ କରିଛି ତାହା ସମସ୍ତଙ୍କୁ ଜଣା । ସେ ବାଲେଶ୍ୱର ଜିଲ୍ଲା ବିଜେଡି କର୍ମୀଙ୍କ ସ୍ୱାଭିମାନ ରକ୍ଷା କରିବାକୁ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଆହୁରି କହିଛନ୍ତି ବିଜେଡି ଯେଉଁ ନୀତି ଆଦର୍ଶରେ ପ୍ରତିଷ୍ଠା ହୋଇଥିଲା, ସେଥିରୁ କିଛି ସ୍ୱାର୍ଥନ୍ୱେଷୀ ବ୍ୟକ୍ତିଙ୍କ ଦିଗଦର୍ଶନରେ ପଥ ଭ୍ରଷ୍ଟ ହୋଇଛି । ତେବେ ଗୋଟିଏ ରାତି ଭିତରେ ରଘୁଙ୍କ ଏପରି ମତ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏମିତି କଣ ହେଲା ଗତ ରାତିରେ କି, ଦଳ ପ୍ରତି ଥିବା ଦୃଢ ଆନୁଗତ୍ୟରେ ପରିବର୍ତ୍ତନ ହେଲା?
ଶୁଣିବାକୁ ମିଳୁଛି, ତାଙ୍କର ବିଜେପି ସହ ଗୁପ୍ତ ସମ୍ପର୍କକୁ ନେଇ ଚଳିତ ନିର୍ବାଚନରେ ତାଙ୍କ ଟିକେଟ କାଟ ଖାଇଛି । ଆଜି ସେ ବିଜେପିରେ ମିଶିବାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । କୁହାଯାଉଛି, ସେ ବସ୍ତାରୁ ବିଜେପି ଟିକେଟରେ ନିର୍ବାଚନ ଲଢିବେ ।
ଆଜି କର୍ମୀଙ୍କ ସମ୍ମାନ ଓ ସ୍ୱାଭିମାନ ପାଇଁ ସେ ଯାହା କଲେ, ତାହା ୨୦୧୪ ନିର୍ବାଚନ ବେଳେ କାହିଁ କରିନଥିଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେତେବେଳେ ମଧ୍ୟ ତାଙ୍କୁ ଦଳରୁ ଟିକେଟ ମିଳିନଥିଲା । ସେତେବେଳେ କଣ କର୍ମୀଙ୍କ ମଧ୍ୟରେ ସ୍ୱାଭିମାନ ନ ଥିଲା, ନା ସେତେବେଳେ ସେ ବୋହୂ ବର୍ଷା ସୋନୀଙ୍କ ଦ୍ୱାରା ହୋଇଥିବା ଯୌତୁକ ନିର୍ଯାତନ ମାମଲାରେ ଫସିଯାଇଥିଲେ । ୨୦୧୩ରେ ବର୍ଷା ସୋନୀ ତାଙ୍କ ସ୍ୱାମୀ, ଶ୍ୱଶୁର, ଶାଶୁଙ୍କ ବିରୋଧରେ ଯୌତୁକ ନିର୍ଯାତନା ମାମଲା ଆଣିଥିଲେ । ରଘୁ ଓ ତାଙ୍କ ପତ୍ନୀଙ୍କୁ ଏଥିନେଇ ଜେଲ ହୋଇଥିଲା । ଏହା ପରେ ତାଙ୍କୁ ପଦରୁ ନିଲମ୍ବିତ କରାଯାଇଥିଲା । ଗତ ନିର୍ବାଚନରେ ଟିକେଟ ଦେଇ ନ ଥିଲା । ଯୌତୁକ ନିର୍ଯାତନା ଖଣ୍ଡା ତାଙ୍କ ମୁଣ୍ଡ ଉପରେ ଲଟକି ଥିଲା । ଅଭିଯୋଗର ପ୍ରାୟ ଅଢେଇ ବର୍ଷ ପରେ ବର୍ଷା ତାଙ୍କ ଅଭିଯୋଗ ପ୍ରତ୍ୟାହାର କରି ନେଇଥିଲେ । ଏବେ ରଘୁଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନାହିଁ । ସେଥିଲାଗି ରଘୁ ଫଣା ଟେକିଥିବା କୁହାଯାଉଛି ।