ନୂଆଦିଲ୍ଲୀ : ମଣିପୁରର ମଜା ଉଡ଼ାଇଲେ ପ୍ରଧାନମନ୍ତ୍ରୀ, ଏଭଳି କିଛି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ସଂସଦରେ ଦେଇଥିବା ଭାଷଣର ଜବାବ ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ୨ ଘଣ୍ଟା ଧରି କେବଳ ମଜା ଉଡ଼େଇଲେ । ରାହୁଲ କହିଛନ୍ତି, ମୋଦୀଜୀ ଗୃହରେ ୨ ଘଣ୍ଟା ୧୩ ମିନିଟ୍ ଭାଷଣ ଦେଇଥିଲେ, କିନ୍ତୁ ଶେଷବେଳକୁ ସେ ମଣିପୁର ବିଷୟରେ ମାତ୍ର ଦୁଇ ମିନିଟ୍ ଭାଷଣ ଦେଇଥିଲେ। ପ୍ରଧାନମନ୍ତ୍ରୀ ଗତକାଲି ଗୃହରେ ମଜା ଉଡ଼ାଇ ହସୁଥିଲେ। ଏହା ତାଙ୍କୁ ଶୋଭା ଦେଉନଥିଲା । ପ୍ରସଙ୍ଗ ମୁଁ କିମ୍ବା କଂଗ୍ରେସ ନଥିଲା, ପ୍ରସଙ୍ଗ ଥିଲା ମଣିପୁର । ତେବେ ରାହୁଲ ଗାନ୍ଧି କହିଛନ୍ତି ଯେ ନରେନ୍ଦ୍ର ମୋଦୀ ଓ ଅମିତ ଶାହା ଭାରତ ମାତାଙ୍କୁ ହତ୍ୟା କରିଛନ୍ତି ବୋଲି ମୁଁ ଗୃହରେ ଏମିତି କହିନଥିଲି। ମଣିପୁରର ମୈତାଇ ଅଞ୍ଚଳରେ ଆମକୁ କୁହାଯାଇଥିଲା ଯେ ଯଦି ଆପଣଙ୍କ ସୁରକ୍ଷା ଦଳରେ କୌଣସି କୁକି ଆସିବ ତେବେ ଆମେ ତାଙ୍କୁ ମାରିଦେବୁ। ରାଜ୍ୟକୁ ହତ୍ୟା କରି ବିଭାଜିତ କରାଯାଇଛି। ସେଥିପାଇଁ ମୁଁ କହିଲି ବିଜେପି ମଣିପୁରରେ ହିନ୍ଦୁସ୍ତାନକୁ ହତ୍ୟା କରିଛି।
ଯଦି ପ୍ରଧାନମନ୍ତ୍ରୀ ମଣିପୁର ଯାଇପାରିବେ ନାହିଁ, ସେ ଏ ପ୍ରସଙ୍ଗରେ ମୁହଁ ତ ଖୋଲନ୍ତୁ ବୋଲି କଂଗ୍ରେସ ସାଂସଦ କହିଛନ୍ତି । ଭାରତୀୟ ସେନା ଏହି ଡ୍ରାମାକୁ ୨ ଦିନରେ ବନ୍ଦ କରିପାରିବ କିନ୍ତୁ ପ୍ରଧାନମନ୍ତ୍ରୀ ମଣିପୁରକୁ ନିଆଁ ଲିଭାଇବାକୁ ଚାହୁଁନାହାନ୍ତି । “୧୯ ବର୍ଷର ଅଭିଜ୍ଞତା ମଧ୍ୟରେ ମୁଁ ମଣିପୁରରେ ଯାହା ଦେଖିଛି ଏବଂ ଶୁଣିଛି ତାହା କେବେ ଦେଖିନାହିଁ ଏବଂ ଶୁଣିନାହିଁ । ସଂସଦରେ ମୁଁ ଯାହା କହିଥିଲି ତାହା ତୁଚ୍ଛା କଥା ନଥିଲା । ପ୍ରଥମ ଥର ପାଇଁ ସଂସଦର ରେକର୍ଡରୁ ‘ଭାରତ ମାତା’ ଶବ୍ଦ ହଟାଇ ଦିଆଯାଇଛି, ଏହା ଏକ ଅପମାନ।