ଆଜି ପୁଣି ଥରେ ଇଡିରେ ହାଜର ହେବେ ରାହୁଲ ଗାନ୍ଧୀ

ଆଜି ମଧ୍ୟ ଇଡିରେ ହାଜର ହେବେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ।

0

(ଦିଲ୍ଲୀ) : ଆଜି ମଧ୍ୟ ଇଡିରେ ହାଜର ହେବେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ । ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ୧୦ ଘଣ୍ଟାରୁ ଅଧିକ ସମୟ ପଚରାଉଚରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ବୁଧବାର ରାହୁଲଙ୍କୁ ପୁଣି ଥରେ ହାଜର ହେବାକୁ କହିଛି। ବୁଧବାର କ୍ରମାଗତ ତୃତୀୟ ଦିନ ପାଇଁ ରାହୁଲ ଗାନ୍ଧୀ ଇଡି ସମ୍ମୁଖରେ ହାଜର ହେବେ।

 

ସୋମବାର ଦିନ ଇଡି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ୧୦ ଘଣ୍ଟାରୁ ଅଧିକ ସମୟ ଧରି ପ୍ରଶ୍ନ କରିଥିଲା। ଏହା ପରେ ଇଡି ତାଙ୍କୁ ମଙ୍ଗଳବାର ପୁଣି ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ରାହୁଲ ଗାନ୍ଧୀ କ୍ରମାଗତ ଦ୍ୱିତୀୟ ଦିନ ମଙ୍ଗଳବାର ସକାଳ ୧୧ ଟା ୫ ମିନିଟରେ ଏପିଜେ ଅବଦୁଲ କଲାମ ରୋଡରେ ଥିବା ଇଡି ମୁଖ୍ୟାଳୟରେ ପହଞ୍ଚିଥିଲେ। ତାଙ୍କ ଭଉଣୀ ତଥା କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ମଧ୍ୟ ତାଙ୍କ ସହ ଥିଲେ। ଅଧିକାରୀମାନେ କହିଛନ୍ତି ଯେ, ଆଇନଗତ ଫର୍ମାଲିଟିସ୍ ସରିବା ପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ ସକାଳ ୧୧ଟା ୩୦ରେ ଆରମ୍ଭ ହୋଇଥିଲା। ପ୍ରାୟ ଚାରି ଘଣ୍ଟା ପଚରାଉଚରା ପରେ ରାହୁଲ ଗାନ୍ଧୀ ଦିନ ପ୍ରାୟ ୩ ଟା ୩୦ ସମୟରେ ବାହାରକୁ ଆସି ପୁଣି ଏକ ଘଣ୍ଟା ପରେ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ।

 

ଅନ୍ୟପକ୍ଷରେ ରାହୁଲ ଗାନ୍ଧୀଙ୍କୁ ଇଡି ପଚରାଉଚୁରାର ଦ୍ୱିତୀୟ ଦିନରେ କଂଗ୍ରେସ ନେତା ଓ କର୍ମୀମାନେ ମଧ୍ୟ ବିରୋଧ କରିଥିଲେ। ଏହା ପରେ ପୋଲିସ ଅନେକ ଲୋକଙ୍କୁ ଗିରଫ କରିଥିଲା। କଂଗ୍ରେସ ମୁଖ୍ୟାଳୟ ନିକଟରେ ଥିବା ଅଞ୍ଚଳରେ ପୋଲିସ ୧୪୪ ଧାରା ଜାରି କରିଛି। ସେହିଭଳି ଇଡି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଜୁନ୍ ୨୩ ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି। କରୋନାରେ ସଂକ୍ରମଣ ହେତୁ ସୋନିଆ ଗାନ୍ଧୀ ଅସୁସ୍ଥ ଅଛନ୍ତି ଏବଂ ବର୍ତ୍ତମାନ ସାର୍ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।