ପୁଅ ଭଲ ହେଲେ ପୁରୀଯିବୁ ବୋଲି କହିଲେ ରାହୁଲଙ୍କ ବାପା

0

ଛତିଶଗଡ:ରଖେ ହରି ତ ମାରେ କିଏ । ରାହୁଲକୁ ୨ୟଥର ରକ୍ଷା କରିଛନ୍ତି କାଳିଆ ଠାକୁର । ଛତିଶଗଡ଼ର ୧୧ବର୍ଷର ବାଳକ ରାହୁଲ, ଯିଏ ବୋରଓ୍ୱେଲ ଭିତରୁ ପୁର୍ନଜନ୍ମ ପାଇ ଫେରିଛି । ଦୀର୍ଘ ୫ ଦିନ ଧରି ୧୦୪ଘଣ୍ଟାର ମେଗା ଅପରେସନ ପରେ ଉଦ୍ଧାର ହୋଇଥିଲା ରାହୁଲ । ତାକୁ ଥରେ ନୁହେଁ ଦୁଇ ଦୁଇ ଥର ରକ୍ଷା କରିଛନ୍ତି ଶ୍ରୀଜଗନ୍ନାଥ । ପୂର୍ବରୁ ମଧ୍ୟ ଥରେ ପୁରୀରେ ହଜିଯାଇଥିଲା ରାହୁଲ ଏବଂ ବହୁ ସମୟ ପରେ ଶ୍ରୀମନ୍ଦିର ନିକଟରୁ ମିଳିଥିଲା । ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଯୋଗୁଁ ସେ ତାଙ୍କ ପୁଅକୁ ପୁଣି ଥରେ ଫେରି ପାଇଛନ୍ତି । ରାହୁଲର ଉଦ୍ଧାର ପରେ ଏକ ଭାବବିହ୍ବଳ ପ୍ରତିକ୍ରିୟା ରଖିଛନ୍ତି ରାହୁଲଙ୍କ ବାପା ଲାଲାରାମ ସାହୁ । ସେ କହିଛନ୍ତି, ଲକଡାଉନ ପୂର୍ବରୁ ପୂରା ପରିବାର ସହ ୧୫ ଦିନ ଲାଗି ପୁରୀ ବୁଲିବା ପାଇଁ ଆସିଥିଲେ। ସମୁଦ୍ରରେ ସ୍ନାନବେଳେ ହଠାତ ରାହୁଲ କେଉଁଆଡେ ନିଖୋଜ ହୋଇଯାଇଥିଲା । କିଛି ସ୍ଥାନୀୟ ଯୁବକ ଫଟୋ ଧରି ଅନେକ ଖୋଜା ଖୋଜି କରିଥିଲେ । ଦିନ ୧୦ଟାରୁ ନିଖୋଜ ରାହୁଲ ସଂଧ୍ୟା ୫ଟାରେ ଶ୍ରୀମନ୍ଦିର ଦ୍ୱାର ନିକଟରେ ମିଳିଥିଲା । ବୋରୱେଲରେ ପଡିଯିବାପରେ ପୂରା ପରିବାର ଶ୍ରୀଜଗନ୍ନାଥଙ୍କୁ ଆକୁଳ ନିବେଦନ କରିଥିଲେ । କେମିତି ସୁରକ୍ଷିତ ରାହୁଲ ବୋରୱେଲରୁ ବାହାରି ଆସିବ ସେ ନେଇ ପ୍ରାର୍ଥନା କରିଥିଲେ । ଶ୍ରୀଜଗନ୍ନାଥ ତାଙ୍କ ଡାକ ଶୁଣିଛନ୍ତି ବୋଲି କହିଛନ୍ତି ଲାଲାରାମ । ପୁଅ ଭଲ ହେଲେ ପୁରୀଯିବୁ ବୋଲି କହିଲେ ରାହୁଲଙ୍କ ବାପା ।ଏବେ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅଛି ରାହୁଲ । ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା କଥା, ରାହୁଲର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି, ପୂର୍ବଅପେକ୍ଷା ଭଲ ଅଛି । ହେଲେ ଶରୀରରେ ଇନଫେକ୍ସନ ହୋଇଛି ।ରାହୁଲକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ପରେ ଆଜି ସେହି ବୋରଓ୍ବେଲ ଓ ଉଦ୍ଧାର କାର୍ୟ୍ୟ ପାଇଁ ଖୋଳାଯାଇଥିବା ସୁଡଙ୍ଗକୁ ପୋତା ଯାଉଛି ।