ବୁଧବାର ଦିଲ୍ଲୀ ଏନସିଆରରେ ହୋଇଥିବା ବର୍ଷାର ପ୍ରଭାବ ନୂଆ ସଂସଦ ଭବନରେ ଦେଖିବାକୁ ମିଳିଛି । ସଂସଦ ଚାରିପାଖ ରାସ୍ତାରେ ପାଣି ସୁଅ ଛୁଟୁଥିବା ବେଳେ ନୂଆ ସଂସଦ ଭବନ ଛାତରୁ ପାଣି ଝରିଛି । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ଏହି ଭିଡିଓକୁ ନେଇ ସପା ସାଂସଦ ଅଖିଳେଶ ଯାଦବ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି । ସେପଟେ ଘଟଣାକୁ ନେଇ ଲୋକସଭା ସଚିବାଳୟ ପକ୍ଷରୁ ଆସିଥି ସ୍ପଷ୍ଟିକରଣ ।
ସୋସିଆଲ ମିଡିଆରେ ନୂଆ ସଂସଦ ଭବନ ଛାତରୁ ପାଣି ଝରିବାର ଏକ ଭିଡିଓ ଭାଇରାଲ ହେଉଛି । ଏଥିରେ ଛାତରୁ ପାଣି ପଡୁଥିବାରୁ ଏକ ନୀଳ ବାଲ୍ଟି ଚଟାଣରେ ରଖା ଯାଇଥିବା ଦେଖିବାକୁ ମିଳୁଛି । ଏହି ଭିଡିଓ ସେୟାର କରି ଅଖିଳେଶ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି କି, ଏହି ନୂଆ ସଂସଦ ଭବନଠୁ ତ ପୁରୁଣା ଭଲ ଥିଲା ।ଯେଉଁଠି ପୁରୁଣା ସାଂସଦ ମିଳାମିଶା କରିପାରୁଥିଲେ । ତେବେ କାହିଁକି ପୁରୁଣା ସଂସଦକୁ ନ ଯିବା, କମସେକମ ସେତେବେଳ ପର୍ଯ୍ୟନ୍ତ, ଯେତେବେଳ ଯାଏ କୋଟି କୋଟି ଟଙ୍କାରେ ନିର୍ମିତ ସଂସଦରେ ପାଣି ଝରିବା କାମ ଚାଲିଛି ।
ସେ ଆହୁରି କହିଛନ୍ତି, ଲୋକେ ପଚାରୁଛନ୍ତି, ବିଜେପି ସରକାରରେ ହୋଇଥିବା ନୂଆ ଛାତରୁ ଝରିବା, ସେମାନଙ୍କ ବିଚାର ବିମର୍ଷରେ ତିଆରି ଡିଜାଇନର ଅଂଶ ନା… ବାକ୍ୟକୁ ଆଗକୁ ସମ୍ପୂର୍ଣ୍ଣ କରିନାହାନ୍ତି ଅଖିଳେଶ । ହେଲେ ସଂସଦର ନିର୍ମାଣ ଶୈଳୀ ଉପରେ ପ୍ରଶ୍ନବାଚୀ ଠିଆ କରିଛନ୍ତି ଅଖିଳେଶ । ଏହାକୁ ନେଇ ଲୋକସଭା ସଚିବାଳୟ ପକ୍ଷରୁ କୁହାଯାଇଛି କି, ସମସ୍ୟାଟି ସମୟ ଥାଇ ଜଣାପଡିବା ପରେ ତୁରନ୍ତ ଜରୁରୀ ପଦକ୍ଷେପ ନିଆଯାଇଛି । ଏହା ପରେ ଆଉ ପାଣି ବହିନି । ତେବେ ସଂସଦରେ କାଚର ବ୍ୟବହାର କରାଯାଇଛି ପ୍ରାକୃତିକ ଲାଇଟ ପାଇଁ । ହେଲେ କୌଣସି ଏକ ସ୍ଥାନରେ ଲାଗିଥିବା ଗ୍ଲାସ ସଠିକ ରୂପେ ଲାଗି ନ ଥିବାରୁ ଏପରି ହୋଇଥିଲା ।