ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା

0

ଭୁବନେଶ୍ୱର: ପଶ୍ଚିମା ଝଡ ପ୍ରଭାବରେ ରାଜଧାନି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡଘଡି ସହ ଜାରି ରହିଛି ବର୍ଷା । ଏଥିସହ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ୪୦ରୁ ୫୦କିମି ରହିଛି ପବନର ବେଗ । ପଶ୍ଚିମା ଝଡ଼ ପ୍ରଭାବରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ ଓ କଟକ ଜିଲ୍ଲାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି । ଆଜି ୧୭ ଜିଲ୍ଲାରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବା ନେଇ ସମ୍ଭାବନା ରହିଛି । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଗତକାଲି ରାଜ୍ୟର କନ୍ଧମାଳର ଦାରିଙ୍ଗବାଡିରେ ସର୍ବାଧିକ ୬୭.୦ ମି.ମି ବର୍ଷା ରେକଡ କରାଯାଇଥିବା ବେଳେ ରାଜଧାନି ଭୁବନେଶ୍ୱରରେ ୩୩.୦ ମିମି ବର୍ଷା ରେକଡ କରାଯାଇଛି । ଆସନ୍ତା କାଲି ପୁଣି ଏକ ପଶ୍ଚିମ ଝଡର ସମ୍ଭାବନା ରହିଥିବା ବେଳେ ୨ ତାରିଖ ପରଠାରୁ କୌଣସି ଜିଲ୍ଲାକୁ ସତର୍କତା ଜାରି କରାଯାଇନାହିଁ । କିନ୍ତୁ ସେହିଦିନ ରାତି ଠାରୁ ପୁଣି ଏକ ପଶ୍ଚିମା ଝଡ ସକ୍ରିୟ ହେବାର ସମ୍ଭାବନା ରହିଛି । । ଯାହାର ପ୍ରଭାବରେ ପୁଣି ଉପକୂଳ ଓଡ଼ିଶା ସମେତ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶା ପ୍ରଭାବିତ ହେବାର ଅଧିକ ସମ୍ଭାବନା ରହିଛି । ସେପଟେ କାଳବୈଶାଖୀର ମୁକାବିଲା ନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।