ରାକେଶ ଟିକାୟତଙ୍କ ୟୁପିର ଭବିଷ୍ୟତକୁ ନେଇ ଭବିଷ୍ୟବାଣୀ

0

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶ ବିଜେପିରେ ଲାଗିରହିଛି ବିବାଦ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉପମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟଙ୍କ ମଧ୍ୟରେ ନାହିଁ ତାଳମେଳ । ଏହାକୁ ନେଇ ରାଜ୍ୟରେ ବିଜେପିର ଭବିଷ୍ୟତ ଓ ସରକାର କିଏ ଗଢିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏହାରି ମଧ୍ୟରେ କୃଷକ ନେତା ରାକେଶ ଟିକାୟତ କରିଛନ୍ତି ଏକ ବଡ ଭବିଷ୍ୟବାଣୀ । ଉତ୍ତର ପ୍ରଦେଶରେ ୨୦୨୭ରେ ସମାଜବାଦୀ ପାର୍ଟି ଓ କଂଗ୍ରେସ ଗଢିବେ ମିଳିତ ସରକାର ବୋଲି ଟିକାୟତ ଏକ କୃଷକ ସଂଗଠନ ବୈଠକରେ କହିଛନ୍ତି । ୟୁପିରେ ୨୦୨୭ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।
ବୈଠକ ଅବସରରେ ଟିକାୟତ କହିଛନ୍ତି, ୟୁପି ବିଜେପିରେ ଚାଲିଥିବା ବିବାଦ ତାଙ୍କ ସଂଗଠନର ସୃଷ୍ଟି । ବିଗତ ୪-୫ ବର୍ଷରେ ବିଜେପି ନେତା ଆଜିର ସ୍ଥିତି ସୃଷ୍ଟି କରିଛନ୍ତି । ଦଳରେ ଯଦି କେହି ନେତା ନିଜକୁ ଜନାଦୃତ କରିବାରେ ସକ୍ଷମ ହୋଇଚି ତାଙ୍କୁ ଦଳ ବାହାରକୁ ଫିଙ୍ଗିଦିଆଯାଇଛି । ତେଣୁ ଆଜିର ବିବାଦ ପାଇଁ ଏକମାତ୍ର ବିଜେପି ନେତା ହିଁ ଦାୟୀ ବୋଲି ଟିକାୟତ କହିଛନ୍ତି ।
ସେ ଆଗକୁ ଆହୁରି କହିଛନ୍ତି କି, ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ଅଭିପ୍ସା ଥିଲା ମୁଖ୍ୟମନ୍ତ୍ରୀ ହେବାକୁ । ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଏହା ବିଜେପିର ଆଭ୍ୟନ୍ତରୀଣ ବ୍ୟାପାର । ତେବେ ଦଳ ତଥା ସଂଗଠନ ସୁଦୃଢ କାହାର ଲକ୍ଷ୍ୟ ନାହିଁ କି କେହି ମଧ୍ୟ କିଛି କରିବାକୁ ଚାହୁଁ ନାହାନ୍ତି । କେନ୍ଦ୍ରରୁ ଯାହା ନିର୍ଦ୍ଦେଶ ଆସିବ ତାହାକୁ ପାଳନ କରିବାରେ ବ୍ୟସ୍ତ ବିଜେପି ।