ବ୍ୟୁରୋ : ଗଣେଶ ଚତୁର୍ଥୀର ଠିକ ଦିନେ ପରେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଦୀପିକା । କୋମଳମତି ଶିଶୁର ଆଗମନରେ ଦୀପବୀରଙ୍କ ଘରେ ଖୁସିର ମାହୋଲ ଦେଖାଯାଇଛି । ଶ୍ରୀ ଗଜାନନଙ୍କ ଉତ୍ସବ ମଧ୍ୟରେ କନ୍ୟା ସନ୍ତାନ ଜନ୍ମ ଦୀପିକା ଓ ରଣବୀରଙ୍କ ପାଇଁ ବଡ ଆଶୀର୍ବାଦ ଠାରୁ କିଛି କମ ନୁହେଁ । ହସ୍ପିଟାଲରେ ଭର୍ତ୍ତି ହେବାର କିଛି ସମୟ ପୂର୍ବରୁ ଦୀପିକା ମୁମ୍ବାଇର ପ୍ରତିଷ୍ଠିତ ସିଦ୍ଧିବିନାୟକ ମନ୍ଦିର ପରିଦର୍ଶନ କରି ପ୍ରଭୁ ବିଘ୍ନହର୍ତ୍ତାଙ୍କ ଆଶୀର୍ବାଦ ନେଇଥିଲେ ।
ପ୍ରକାଶ ଥାଉ କି, କିଛି ଦିନ ପୂର୍ବେ ଦୀପବୀର ଏକ ଜଏଣ୍ଟ ଷ୍ଟେଟମେଣ୍ଟ ଜାରି କରିଥିଲେ । ସେଥିରେ ଉଲ୍ଲେଖ ଥିଲା ସେମାନେ ବାପା, ମା ହେବାକୁ ଯାଉଛନ୍ତି ଏବଂ ସେପ୍ଟେମ୍ବର ମାସରେ ଶିଶୁ ଘରକୁ ଆସିବା । ସୋସିଆଲ ମିଡ଼ିଆ ପୋଷ୍ଟ ମାଧ୍ୟମରେ ସେମାନଙ୍କ ପ୍ରଶଂସକ ମାନଙ୍କୁ ଦୁହେଁ ଏହି ସୂଚନା ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ଦୀପିକା ପାଦୁକୋନଙ୍କୁ ନିକଟରେ ପ୍ରଭାସଙ୍କ ଅଭିନୀତ ‘କଲ୍କି ୨୮୯୮ ଏଡି’ରେ ଦେଖିବାକୁ ମିଳିଥିଲା, ଯାହା ଏପର୍ଯ୍ୟନ୍ତ ୨୦୨୪ର ସବୁଠୁ ବଡ଼ ବ୍ଲକବଷ୍ଟର ହୋଇଥିଲା । ଏହା ପରେ ରୋହିତ ଶେଟ୍ଟିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସିଙ୍ଘମ୍ ଏଗେନ୍’ରେ ଦୀପିକା ନଜର ଆସିବେ । ଏଥିରେ ସ୍ୱାମୀ ରଣବୀର ସିଂ ମଧ୍ୟ ଅଭିନୟ କରିଛନ୍ତି । ତେବେ ଚଳିତ ବର୍ଷ ଦୀପାବଳି ଅବସରରେ ଏହି ମଲ୍ଟି ଷ୍ଟାରର ଫିଲ୍ମ ବଡ଼ ପରଦାରେ ଆସିବାକୁ ଥିବା ସୂଚନା ରହିଛି ।