ଶିଶୁ ଦୁଷ୍କର୍ମକାରୀ ନାବାଳକ ଗିରଫ

0

(ପ୍ରିୟଦର୍ଶନୀ ସ୍ୱାଇଁ): ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲା ନାବାଳକ । ଏହା କୌଣସି ଆଦିବାସୀ ଅଞ୍ଚଳରେ ନୁହେଁ ଖୋଦ ରାଜଧାନୀ ଭୁବନେଶ୍ୱର ଘଟଣା । ୪ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିବା ନାବାଳକକୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ପୋଲିସ ନାବାଳକକୁ ଆଜି ସକାଳେ ଖୋର୍ଦ୍ଧା ଜୁଭେନାଇଲ ଜଷ୍ଟିସ ବୋର୍ଡ଼ରେ ହାଜର କରାଇବା ପରେ ବ୍ରହ୍ମପୁର ବାଳ ସୁଧାର ଗୃହକୁ ପଠାଇଛି ।
ସୂଚନାନୁଯାୟୀ, ପାତ୍ରପଡ଼ା ଅଞ୍ଚଳରେ ଜଣେ ମହିଳା ଭଡ଼ାରେ ରହିଆସୁଛନ୍ତି । ସେ ଏକ ଘରୋଇ କମ୍ପନୀରେ କାର୍ଯ୍ୟ କରନ୍ତି । ପ୍ରତିଦିନ ପରି ନିଜର ୪ବର୍ଷର ଶିଶୁକୁ ମହିଳା ପଡ଼ୋଶୀ ଘରେ ଛାଡ଼ି କମ୍ପାନୀକୁ ଯାଇଥିଲେ । କାମ ସାରି ଫେରିବା ବେଳକୁ ଝିଅର ବ୍ୟବହାର ଓ ସ୍ୱାସ୍ଥ୍ୟବସ୍ଥାରେ ପରିବର୍ତ୍ତନ ଦେଖି ମହିଳା ଜଣକ ଝିଅକୁ ଏମ୍ସ ମେଡ଼ିକାଲକୁ ନେଇଯାଇଥିଲେ । ଡ଼ାକ୍ତର ଯାଞ୍ଚ କରିବା ପରେ ଦୁଷ୍କର୍ମ ଘଟଣା ଜଣାପଡ଼ିଥିଲା । ଶିଶୁକୁ ପଚାରିବାରୁ ପଡିଶାରେ ରହୁଥିବା ଅଭିଯୁକ୍ତ ନାବାଳକ ଦୁଷ୍କର୍ମ କରିବା କଥା ପଦାକୁ ଆସିଥିଲା । ଅଭିଯୋଗକୁ ଭିତ୍ତି କରି ପୋଲିସ ନାବାଳକ ଘରେ ଚଢ଼ାଉ କରି ଗିରଫ କରିଥିଲା ।