ରିପୋର୍ଟସଟୁଡେ (ବ୍ୟୁରୋ)-ପଶ୍ଚିମବଙ୍ଗ ଦୀଘା ସମୁଦ୍ରରୁ ଧୀବରଙ୍କ ଜାଲରେ ପଡିଛି ଦେଢ କୁଇଣ୍ଟାଲ ଓଜନର ଏକ ବିରଳ ତଥା ବିଶାଳକାୟ ‘କୈବଲ୍ୟ ମାଛ’। ଓଡିଆରେ ଏହାକୁ ‘କୈବଲ୍ୟ ମାଛ’ କୁହାଯାଉଥିଲା ବେଳେ ବଙ୍ଗଳାରେ ଏହାର ନାମ ‘ସମୁଦ୍ର କଉ’ ଓ ଆନ୍ତର୍ଜାତୀୟ ବଜାରରେ ଏହାର ନାମ ‘ରିକର୍ଡ’। ଏହି ବିରଳ ‘କୈବଲ୍ୟ’ ମାଛକୁ ୩୫ ହଜାର ଟଙ୍କାରେ ନିଲାମ କରାଯାଇଥିବା ସୂଚନା ମିଳିଛି। ସୂଚନା ମୁତାବକ,ଓଡିଶାର ପାରାଦ୍ବୀପ ଅଞ୍ଚଳର ଅଶୋକ କୁମାର ସାହୁଙ୍କ ଟ୍ରଲର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲା ବେଳେ ଗଭୀର ସମୁଦ୍ରରେ ଏହି ବିଶାଳକାୟ ମାଛଟି ଜାଲରେ ଧରାପଡିଥିଲା। ଶ୍ରୀ ସାହୁଙ୍କ ଏସଏଫସି ନାମକ ଟ୍ରଲରଟି ଏହି ମାଛଟିକୁ ଧରି ବୁଧବାର ସକାଳେ ପଶ୍ଚିମବଙ୍ଗ ରାଜ୍ୟର ପୂର୍ବ ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ଦୀଘା ମତ୍ସ୍ୟ ଅବତରଣ କେନ୍ଦ୍ରରେ ପହଞ୍ଚିଥିଲା। ସେଠାରେ ମା’ ରେଣୁକା ଫିସ ଟ୍ରେଡର୍ସ ମାଛ କଣ୍ଟାରେ ଏହାକୁ ନିଲାମ ଡକାଯାଇଥିଲା ବେଳେ ପଶ୍ଚିମବଙ୍ଗ ବସିରହାଟ ଅଞ୍ଚଳର ଲାଲଟୁ ନାମକ ଜନୈକ ମାଛ ବ୍ୟବସାୟୀ ୩୫ ହଜାର ଟଙ୍କାରେ ଏହି ମାଛଟିକୁ କିଣି ନେଇଥିଲେ। ଏହି ମାଛ ସୁସ୍ବାଦୁ ହୋଇଥିବାରୁ ସହରରେ ଏହାର ବହୁତ ଚାହିଦା ରହିଛି। ଏହାକୁ ଖଣ୍ଡ ଖଣ୍ଡ କରି କାଟି ସେ ବିକ୍ରି କରିବେ ବୋଲି ସଂପୃକ୍ତ ବ୍ୟବସାୟୀ ଲାଲଟୁ ପ୍ରକାଶ କରିଛନ୍ତି ।