ରଥରେ ଛେରା ପହଁରାର ଆବଶ୍ୟକତା

0

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜନୈକ ପଦାଧିକାରୀ, ଶ୍ରୀମନ୍ଦିର କମାଣ୍ଡର, ଆବଶ୍ୟକ ସଂଖ୍ୟକ ମନ୍ଦିର ପୁଲିସ ଏବଂ ସରକାରୀ ପୁଲିସ ଶ୍ରୀନଅରକୁ ଯାଇ ବିଧିବଦ୍ଧ ଭାବେ ଗଜପତି ମହାରାଜାଙ୍କୁ ଛେରା ପହଁରା ସେବା କରିବା ପାଇଁ ଖବର ପଠାଇଥାନ୍ତି । ଶ୍ରୀନଅରରେ ଖବର ପଂହଚିବା ପରେ ଗଜପତି ମହାରାଜା ରାଜକୀୟ ବେଶରେ ଆସି ଛେରା ପହଁରା କରିଥାନ୍ତି ।
ଛେରା ପହଁରା ନୀତି ସରିବା ଯାଏଁ ଗଜପତି ମହାରାଜା ଉପବାସ ରହିବା ସଂଗେ ସଂଗେ ଶ୍ରୀନଅର ଅଗଣାରେ ରଖାଯାଇଥିବା କନକ ଦୁର୍ଗା ଠାକୁରାଣୀଙ୍କୁ ପ୍ରଣାମ କରି ଶ୍ରୀନଅର ଅଗଣାରେ ରଖାଯାଇଥିବା ହାତୀଦନ୍ତ ଓ ରୈାପ୍ୟ ନିର୍ମିତ ତାମଯାନରେ ବିଜେ କରିଥାନ୍ତି । ଶ୍ରୀନଅରରୁ ବିଜେ କରିବା ସମୟରେ ବେହେରା ଖୁଂଟିଆ ଆଗରେ ରହିଥାନ୍ତି , କାହାଳୀ ଓ ବଜନ୍ତରୀ ବାଦ୍ୟର ତାଳେତାଳେ ପଟୁଆର ଶୋଭାଯାତ୍ରାରେ ଗଜପତି ରଥ ଆଡକୁ ଆସୁଥିବା ବେଳେ ବଡଦାଣ୍ଡରେ ଅସଂଖ୍ୟ ଭକ୍ତ ହରିବୋଲ ଓ ହୁଳୁହୁଳି ଦେଇ ଠାକୁରମାନଙ୍କର ଜୟଜୟକାର କରିଥାନ୍ତି ।
ସର୍ବପ୍ରଥମେ ବଳଭଦ୍ରଙ୍କ ରଥ ସମ୍ମୁଖରେ ତାମଯାନ ରହେ , ଏବଂ ତାପରେ ଗଜପତି ମହାରାଜ ଉକ୍ତ ରଥ ଉପରକୁ ଉଠିଥାନ୍ତି । ତାଙ୍କ ସାଙ୍ଗରେ ରାଜପରିବାରର ସଦସ୍ୟ ରାଜଗୁରୁ, ଲେଙ୍କା, ବେହେରା ଖୁଂଟିଆ, ଗରାବଡୁ ଓ ଦେଉଳକରଣ ଆଦି ସେବକ ମଧ୍ୟ ରହିଥାନ୍ତି । ରାଜା ଠାକୁରଙ୍କ ସମ୍ମୁଖରେ ଆରତୀ କରି ସୁନା ଚାମର ଆଲଟ ସେବା କରିଥାନ୍ତି । ରାଜଗୁରି ମୁଦୁଲି ସେବକଙ୍କ ଠାରୁ ସୁନା ଖଡିକା ଆଣି ସଂସ୍କାର କରି ଗଜପତିଙ୍କ ହାତକୁ ବଢାଇଥାନ୍ତି । ଏହି କ୍ରମରେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଓ ଦେବୀ ସୁଭଦ୍ରାଙ୍କ ରଥ ଉପରେ ଛେରା ପହଁରା ନୀତି ସଂପନ୍ନ ହୋଇଥାଏ । ଛେରା ପହଁରା ସରିବା ପରେ ଗଜପତି ମହାରାଜା ତାମଯାନରେ ପଟୁଆର ସହ ଶ୍ରୀନଅର ଅଭିମୁଖେ ଯାତ୍ରା କରିଥାନ୍ତି ।