ପୁରୀ: ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନି ରଥ । ପୂର୍ବରୁ ତାଳଧ୍ୱଜ ଓ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଯାଇ ପହଞ୍ଚିଥିଲା । ଏବେ ଶରଧା ବାଲିରେ ୩ ରଥ ସମାନ ହୋଇ ଛିଡା ହୋଇଛନ୍ତି । ୩ ଠାକୁରଙ୍କୁ ଦେଖିବାକୁ ଭକ୍ତମାନେ ଗୁଣ୍ଡିଚା ମନ୍ଦିର ପାଖରେ ଭିଡ ଜମାଇଛନ୍ତି । ଜୟ ଜଗନ୍ନାଥ ନାରାରେ ପ୍ରକମ୍ପିତ ହୋଇଛି ଶରଧାବାଲି ।
ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ଲାଗି ଆଜି ଚଳଚଞ୍ଚଳ ହୋଇପଡ଼ିଥିଲା ପୁରୀ ସହର। ଏଥର କରୋନା କଟକଣା ହଟିଥିବାରୁ ପୁଣି ଶ୍ରୀକ୍ଷେତ୍ର ମୁହାଁ ହୋଇଥିଲେ ଅଗଣିତ ଭକ୍ତ। ରତ୍ନବେଦି ଛାଡ଼ି ଜନ୍ମବେଦିକୁ ଯାତ୍ରା କରିଛନ୍ତି ତିନି ଠାକୁର। ଜନ୍ମବେଦିକୁ ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ତିନି ଠାକୁର।ଆଜି ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ନୀତିକାନ୍ତି ହୋଇଥିଲା। ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନ ରଥାରୂଢ ହେବାପରେ ଶ୍ରୀବଳଭଦ୍ରଙ୍କ ପହଣ୍ଡି ବିଜେ ତା’ପରେ ଦେବୀ ସୁଭଦ୍ରା ଓ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ ହୋଇ ରଥାରୂଢ ହୋଇଥିଲେ ।