(ଜ୍ୟୋତିରଂଜନ ଧର)କଣିହାଁ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଏନ୍ଟିପିସି ପ୍ରକଳ୍ପସ୍ଥ ଦୀପଶିଖା ରଥଯାତ୍ରା ସମିତି ଆନୁକୂଲ୍ୟରେ ସ୍ଥାୟୀ ଟାଉନ୍ସିପସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ମହାସମାରୋହରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରା ପାଇଁ ସମିତି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ସକାଳ ୫ଟା ୩୦ମି ରେ ସୂର୍ଯ୍ୟପୂଜା, ହୋମଯଜ୍ଞ ସହିତ ଶ୍ରୀମନ୍ଦିରରେ ମହାପ୍ରଭୂଙ୍କର ସମସ୍ତ ପ୍ରକାର ନୀତିକାନ୍ତି ସମାପନ କରାଯାଇଥିଲା । ଏହାପରେ ୧୦ଟା ୩୦ମିନିଟ୍ ସମୟରେ ସେବାୟତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି ବିଜେ କରାଇ ରଥାରୁଢ କରାଇଥିଲେ । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅପରାହ୍ନ ୩ଟା ବେଳେ ଏନ୍ଟିପିସି କଣିହାଁ ପ୍ରକଳ୍ପ ସମୂହ ମହାପ୍ରବନ୍ଧକ ତଥା ରଥଯାତ୍ରା ସମିତି ସଭାପତି ରମେଶ ବାବୁ ଭି.ଙ୍କ ଦ୍ୱାରା ଛେରା ପହଁରା ନୀତି ସମାପନ ହୋଇଥିଲା । ଅପରାହ୍ନ ୪ଟା ବେଳେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାୟ ୫ହଜାର ଶ୍ରଦ୍ଧାଳୁ ଏହି ଯାତ୍ରାରେ ଯୋଗ ଦେଇ ଶ୍ରୀମନ୍ଦିର ଠାରୁ ପିଟିଏସ୍ ଡିଏଭି ସ୍କୁଲ୍ ନିକଟସ୍ଥ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ଟାଣି ନେଇଥିଲେ । ରଥଯାତ୍ରା ସମୟରେ ସଂକୀର୍ତ୍ତନ, ଘଣ୍ଟ ଶଙ୍ଖ ଧ୍ୱନୀ ଓ ଭକ୍ତଙ୍କ ହରିବୋଲ ହୁଳହୁଳିରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇ ଉଠିଥିଲା । ସୋମବାର ଠାରୁ ଆସନ୍ତା ୯ତାରିଖ ପର୍ଯ୍ୟନ୍ତ ମାଉସୀ ମା ମନ୍ଦିର ନିକଟରେ ପ୍ରତ୍ୟେହ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁ ରହିବା ସହିତ ପ୍ରତିଦିନ ଭକ୍ତମାନଙ୍କ ପାଇଁ ଅବଢା ବିକ୍ରୟର ଯୋଜନା ଥିବା ସମିତି ପକ୍ଷରୁ ସୂଚନା ଦିଆଯାଇଛି । ଉକ୍ତ ସମିତିର ସମ୍ପାଦକ ଗଣେଶ୍ୱର ମିଶ୍ର, ବଟକୃଷ୍ଣ ପଲେଇ, ଏସ୍. ଏନ୍. ବେହେରା, ପି. କେ. ଧର, ପି. ସାମଲ, ସାଧୁ ଚରଣ ତ୍ରିପାଠୀ, ଗୋପବନ୍ଧୁ ପ୍ରଧାନ, ବିନୋଦ କାନୁ୍ନଗୋ, ସତ୍ୟାନନ୍ଦ ସାହୁ, ଗୀରିଜା ପ୍ରସାଦ ସାହୁ ପ୍ରମୁଖ ସଦସ୍ୟମାନେ ଯାତ୍ରାର ଦାୟିତ୍ୱ ସୂଚାରୁ ରୂପେ ତୁଲାଇଥିଲେ । ସେହିଭଳି କଣିହାଁ ବ୍ଲକ ବଡଗୁଣ୍ଡୁରିସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଘୋଷଯାତ୍ରା ପାଳିତ ହୋଇଯାଇଛି । ସମସ୍ତ ନୀତିକାନ୍ତି ସରିବା ପରେ ଚତୁର୍ଦ୍ଧାମୂର୍ତ୍ତୀ ପହଣ୍ଡି ହୋଇ ରଥ ଉପରେ ବିଜେ ହୋଇଥିଲେ । ତା’ପରେ ଛେରା ପହଁରା ନୀତି ସମ୍ପର୍ଣ୍ଣ ହେବାପରେ ରଥଟଣା ହୋଇଥିଲା । ପ୍ରାୟ ୪ହଜାରରୁ ଉଦ୍ଧ୍ୱର୍ ଭକ୍ତ ଏହି ଯାତ୍ରାରେ ଯୋଗ ଦେଇ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ । ସେହିପରି ବ୍ଲକ୍ସ୍ଥ ସମଲ ତ୍ରିବେଣୀ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ଯାତ୍ରା ମହା ସମାରୋହରେ ପାଳିତ ହୋଇଯାଇଛି । ସକାଳେ ସମସ୍ତ ନୀତିକାନ୍ତି ସରିବା ପରେ ଅପରାହ୍ନ ୩ଟା ସମୟରେ ଚତୁର୍ଦ୍ଧା ମୂର୍ତ୍ତି ପହଣ୍ଡି ବିଜେ ହୋଇ ରଥାରୂଡ଼ ହୋଇଥିଲେ । ଛେରାପହଁରା ନୀତି ସମ୍ପର୍ଣ୍ଣ ହେବାପରେ ରଥଟଣା ହୋଇଥିଲା । ରଥର ଗୋଟିଏ ପାଶ୍ୱର୍ ପୁରୁଷ ଓ ଅନ୍ୟ ପାଶ୍ୱର୍ ମହିଳାମାନେ ରଥ ଦଉଡି ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଟାଣି ନେଇଥିଲେ । ସନ୍ଧ୍ୟା ସାଢେ ୬ଟା ବେଳେ ରଥ ମାଉସି ମା’ ମନ୍ଦିରରେ ପହଞ୍ôଚଥିଲା । ବହୁ ନଦିଅାଁ ସଂର୍କିତ୍ତନ, ଓଡିଶି, ଘଣ୍ଟୁଆ, ଶଙ୍ଖବାଦ୍ୟକାର ଏହି ଯାତ୍ରାରେ ଭାଗ ନେଇଥିଲେ । ହରିବୋଲ ହୁଳହୁଳିରେ ତ୍ରିବେଣୀ ଶ୍ରୀକ୍ଷେତ୍ର ପ୍ରକମ୍ପିତ ହୋଇ ଉଠିଥିଲା । ସନ୍ଧ୍ୟାରେ ମାଉସି ମା’ ମନ୍ଦିରଠାରେ ନାମ ସଂର୍କିତ୍ତନ, ଭଜନ ସଂନ୍ଧ୍ୟା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦୂରଦୂରାନ୍ତରୁ ପ୍ରାୟ ୪ହଜାର ଶ୍ରଦ୍ଧାଳୁ ଏହି ଯାତ୍ରାରେ ଯୋଗ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ କରିଥିଲେ । ଏତଦ୍ବ୍ୟତିତ କଣିହାଁ ବ୍ଲକ୍ର ବିଜିଗୋଳ ଗ୍ରାମ ଗୋଲାଘର ସାହି ମା’ ଭୈରବୀ ପୀଠ, ନୂଆ ବଲାଙ୍ଗୀ, ପଥରମୁଣ୍ଡା, କମସଲା, ବଜ୍ରକୋଟ, ରେଙ୍ଗାଳି ଓ କାକୁଡି ଆଦି ଗ୍ରାମରେ ଧୂମଧାମରେ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶାନ୍ତିଶୃଙ୍ଖଳା ନିମନ୍ତେ କଣିହାଁ, ଏନଟିପିସି ଟାଉନ ଓ ସିଆଇଏସଏଫ , ରେଙ୍ଗାଳି, ସମଲ ପୋଲିସ୍ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।