ପୁରୀ: ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିଲାଗି ସକାଳୁ ସକାଳୁ ପୁରୀ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇପଡ଼ିଛି। ପୁରୀରେ ଆଜି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। କେବଳ ଓଡ଼ିଶା କି ଭାରତ ନୁହେଁ, ବରଂ ବିଦେଶରୁ ମଧ୍ୟ ଭକ୍ତଙ୍କ ଆଗମନ ହୋଇଛି ପୁରୀକୁ। ଏଣେ ବିଳମ୍ବିତ ରାତିରୁ ମହାପ୍ରଭୁଙ୍କ ନୀତିକାନ୍ତି ଚାଲିଛି।
ଆଜି ନବଯୌବନ ଦର୍ଶନ ପରି ଏକାଧିକ ନୀତିକାନ୍ତି ଥାଇ ବି ନିର୍ଘଣ୍ଟ ସମୟ ପୂର୍ବରୁ ପହଣ୍ଡି ବିଜେ କରିଛନ୍ତି ଶ୍ରୀଜିଉ। ଧାଡ଼ି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡି କରି ଯାଇ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ବିଜେ କରିବା ପରେ ଆସିଲେଣି ବଡ଼ଠାକୁର ବଳଭଦ୍ର। ଘଣ୍ଟଘଣ୍ଟାରେ କମ୍ପୁଛି ସିଂହଦ୍ୱାର, ବଡ଼ଦାଣ୍ଡ। ଲୋକାରଣ୍ୟ ବଡଦାଣ୍ଡ। ବଡ଼ଠାକୁର ଆସିବା ଶୁଣି କୃତାର୍ଥ ହୋଇଛନ୍ତି, ଭକ୍ତ, ବଡ଼ଦାଣ୍ଡ, ରଥ, ପଥ ସବୁକିଛି। ପୂର୍ବରୁ ପହଣ୍ଡି ପାଇଁ ଦିନ ୧ଟା ସମୟ ନିର୍ଘଣ୍ଟ ହୋଇଥିବାବେଳେ ସବୁ ସମୟକୁ ବ୍ୟତୀକ୍ରମ କରି ଭକ୍ତଙ୍କ ପାଇଁ ସଅଳ ବିଜେ କରିଛନ୍ତି ମହାବାହୁ ।