(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ରଥ ଯାତ୍ରା ପାଇଁ ଲୋକାରଣ୍ୟ ଶାବର ଶ୍ରୀକ୍ଷେତ୍ର। କୋରାପୁଟରେ ପ୍ରଥମେ ଚକ୍ର ରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ପରେ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ପହଣ୍ଡି ବିଜେ କରାଯାଇଥିଲା। ପହଣ୍ଡି ସମୟରେ ମହାପ୍ରଭୁଙ୍କୁ ଦେଖିବାକୁ ପ୍ରବଳ ଭିଡ ଜମିଥିଲା। ଆନନ୍ଦ ଉହ୍ଲାସର ସହ କଡ଼ା ସୁରକ୍ଷା ମଧ୍ୟରେ ପହଣ୍ଡି ବିଜେ କରାଯାଇଥିଲା। ଅପରାହ୍ନ ୨ଟାରେ ରଥଟଣା ହୋଇଥିଲା। ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ଅଧାରାସ୍ତାରେ ଅଟକି ରହିଛି। ଶୁଭଦ୍ରାଙ୍କ ରଥକୁ ମହିଳାମାନଙ୍କ ଦ୍ୱାରା ପୂଜା କରିବା ପରେ ମହିଳାମାନେ ରଥକୁ ଟାଣିଥିଲେ। ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ହୋଇନାହିଁ।
ଗଜପତି ଜିଲ୍ଲା ସଦରମହକୁମା ପାରଳଖେମୁଣ୍ଡିଠାରେ ରଥାଯାତ୍ରା ପାଇଁ ଉତ୍ସବର ମାହୋଲ। ସକାଳୁ ସକାଳୁ ତିନି ରଥ ପ୍ରତିଷ୍ଠା ସହ ତିନି ଠାକୁରଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ, ପହଣ୍ଡି ବିଜେ କରାଯାଇଥିଲା। ପଡୋଶୀ ଆନ୍ଧ୍ରପ୍ରଦେଶ ସମେତ ଗଜପତି ଜିଲ୍ଲା ଓ ଆଖପାଖରୁ ବହୁ ଭକ୍ତ, ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ।
ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ନଇରୀ ସ୍ଥିତ ଶ୍ରୀ ଜଗନ୍ନାଥଙ୍କର ଲୀଳାକ୍ଷେତ୍ର କଙ୍କଣ ଶିଖରୀରେ ମହାଆଡ଼ମ୍ବରରେ ପାଳିତ ହୋଇଛି ରଥଯାତ୍ରା । ଚିଲିକା ମଧ୍ୟରେ ଥିବା ଏକ ଦ୍ୱିପରେ ଅବସ୍ଥିତ ଜଗନାଥଙ୍କ ଲୀଳାକ୍ଷେତ୍ରରେ ତିନି ଠାକୁରଙ୍କୁ ପହଣ୍ଡିବିଜେ କରାଯାଇ ନୌକାରେ ମହାପ୍ରଭୁଙ୍କୁ ରଥା ରୁଢ କରାଯାଇଥିଲା । ଏହାପରେ ଦ୍ୱିପ ଚାରିପଟେ ତିନି ଥର ନୌକା ପରିକ୍ରମା କରାଯିବା ସହ ଘଣ୍ଟ, ବାଦ୍ୟ ସହ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଏହି ଅବସରରେ ଭଜନ ସମାରୋହ ସହ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।
ଯାଜପୁର ଜିଲ୍ଲା ଧର୍ମଶାଳାରେ ପବିତ୍ର ଘୋଷଯାତ୍ରା ପାଳିତ ହୋଇଯାଇଛି। ଧର୍ମଶାଳା ମୁନ୍ସୀ ମିଳନ କମିଟି ଓ ଭାଲୁ ଖାଇ ଜଗନ୍ନାଥ ମନ୍ଦିର କମିଟିର ମିଳିତ ଉଦ୍ୟମରେ ଏହି ରଥାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁୟାୟୀ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ରଥରେ ଛେରା ପହଁରା କରିଥିଲେ। ହଜାର ହଜାର ଭକ୍ତଙ୍କ ଗହଣରେ ରଥଟଣା ହୋଇଥିଲା। ସରକାରୀ ଦଳ ଉପମୁଖ୍ୟ ସଚେତକ ତଥା ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଯୋଗଦେଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ସହ ଭକ୍ତମାନଙ୍କ ସହ ରଥ ଟାଣିଥିଲେ। ରଥକୁ ଧର୍ମଶାଳା ହାଟସ୍ଥିତ ମାଉସୀ ମାଆ ମନ୍ଦିର ପର୍ୟ୍ୟ ନ୍ତ ନିଆଯାଇଥିଲା।
କେନ୍ଦୁଝରରେ ଶାନ୍ତି ଶୃଙ୍ଖଳାର ସହ ମହାପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ରଥ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସକାଳୁ ୩ ଠାକୁରଙ୍କର ଅବକାଶ ନୀତି ପରେ, ମଙ୍ଗଳ ଆଳତି ଓ ସୂର୍ୟ୍ୟ ପୂଜା କରାଯାଇଥିଲା। ପରେ ୩ ଠାକୁରଙ୍କୁ ରାଜ ପରିବାର ଦ୍ୱାରା ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। ମହାପ୍ରଭୁଙ୍କୁ ଗୋଟି ପହଣ୍ଡିରେ ଅଣାଯିବା ସହ ରଥାରୁଢ କରାଯାଇଥିଲା। ଚାରମାଳ ଫିଟିବା ପରେ, ବଶ୍ୱବନ୍ଧା ପହଁରା କାର୍ୟ୍ୟଗକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ରଥଟଣା ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଭକ୍ତଙ୍କୁ ମାଗଣାରେ ପ୍ରସାଦ ବଣ୍ଟନ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।
ରଥଯାତ୍ରା ପାଇଁ ବାରିପଦା ଚଳଚଞ୍ଚଳ। ପୁରୀ ଘୋଷ ଯାତ୍ରାର ଗୋଟିଏ ଦିନ ପରେ ବାରିପଦାରେ ଅନୁଷ୍ଠିତ ହୋଇଥାଏ ରଥଯାତ୍ରା । ବିଶ୍ୱାସ ରହିଛି , ପୁରୀ ରଥଯାତ୍ରା ପରଦିନ ଏଠାରେ ବିଜେ ହୁଅନ୍ତି ମହାପ୍ରଭୁ। ଆଜି ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ ହୋଇଛନ୍ତି। ଆସନ୍ତା ଦୁଇ ଦିନ ଧରି ରଥଟଣା କାର୍ୟ୍ୟ୍କ୍ରମ ଅନୁଷ୍ଠିତ ହେବ। ପ୍ରଥମ ଦିନରେ ବଳଭଦ୍ରଙ୍କ ରଥ ମାଉସୀ ମାଆଙ୍କ ମନ୍ଦିରରେ ପହଞ୍ଚିବା ପରେ ଆରମ୍ଭ ହେବ ଦେବୀ ସୁଭଦ୍ରାଙ୍କ ରଥଟଣା। ସୁଭଦ୍ରାଙ୍କ ରଥ ଅଧା ବାଟ ଟଣାଯାଇ ବାରିପଦା ଟାଉନ ଥାନାରେ ସମ୍ମୁଖରେ ରହିବ। ତା ପର ଦିନ ଦେବୀ ସୁଭଦ୍ରାଙ୍କ ରଥ ଟଣାଯାଇ ମାଉସୀ ମାଆ ମନ୍ଦିରରେ ପହଞ୍ଚିବା ପରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଟଣାଯିବ। ମହିଳାମାନେ ସୁଭଦ୍ରାଙ୍କ ରଥକୁ ଟାଣିଥାନ୍ତି। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।