ଭୁବନେଶ୍ୱର: ଖରାଛୁଟି ସରିବା ପରେ ନୂଆଶିକ୍ଷା ବର୍ଷ ଆରମ୍ଭ ହେବ । ସ୍କୁଲରେ କେମିତି ପାଠପଢା ହେବ ସେନେଇ ଓସେପା ପକ୍ଷରୁ ଗାଇଡଲାଇନ ଓ ନିୟମାବଳୀ ଜାରି କରାଯାଇଛି । ଏନେଇ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି । ଖରାଛୁଟି ସରିବା ପରେ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବା ନେଇ ଚିଠିରେ ଉଲ୍ଲେଖ କରାଯାଇଛି । ଏହାଛଡା ଠିକଣା ଢଙ୍ଗରେ ଶିକ୍ଷାଦାନ ଆରମ୍ଭ କରିବାକୁ ନିୟମାବଳୀରେ ଉଲ୍ଲେଖ ରହିଛି । ଶତପ୍ରତିଶତ ପାଠ୍ୟ ଖସଡା ଶେଷ କରିବା ଦିଗରେ ପଦକ୍ଷେପ ନେବାକୁ ସମସ୍ତ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ସମସ୍ତ ଶିକ୍ଷକଙ୍କ ସହ ପାଠ୍ୟକ୍ରମ, ପାଠପଢା ସମୟ ସମ୍ବନ୍ଧରେ ଆଲୋଚନା କରିବେ । ବିଦ୍ୟାର୍ଥୀମାନେ କିଭଳି ସଠିକ୍ ଭାବେ ଶିକ୍ଷା ପାଇ ପାରିବେ ସେ ଦିଗରେ ଯୋଜନା ପ୍ରସ୍ତୁତ କରିବେ । କରୋନା କାଳରେ କ୍ଷତିଭରଣା ପାଇଁ ପ୍ରସ୍ତୁତ ହୋଇଥିବା ପୁସ୍ତକ ସହ ପାଠ୍ୟକ୍ରମର ପୁସ୍ତକ ପଠାଯିବ । ଏଥି ସହିତ ଏକାଡେମିକ କ୍ୟାଲେଣ୍ଡର ପ୍ରସ୍ତୁତ ହେବ । କ୍ଲାସରୁମରେ ଟାଇମ ଟେବୁଲ ଲାଗିବ । ୨୦୨୩ ମାର୍ଚ୍ଚ ସୁଦ୍ଧା ପାଠପଢା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷକମାନେ ପାଠପଢ଼ାରେ ହୋଇଥିବା କ୍ଷତି ଭରଣା ପାଇଁ ସ୍ବତନ୍ତ୍ର ଯୋଜନା କରିବେ । ସିଆରସିସିମାନେ ନିଜ କ୍ଲଷ୍ଟରରେ ପାଠପଢା ଉପରେ ତୀକ୍ଷ୍ଣ ନଜର ରଖିବା ସହ ରୀତିମତ ଯାଞ୍ଚ କରିବେ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପ୍ରାଥମିକତା ଦେବେ । ପ୍ରତି ପାଠ୍ୟକ୍ରମର ବିଷୟଗତ ନୋଟ୍ସ ପିଲାଙ୍କ ପ୍ରଦାନ ପୂର୍ବରୁ ପ୍ରଧାନଶିକ୍ଷକ ତାକୁ ଯାଞ୍ଚ କରିବେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।