ଭୁବନେଶ୍ୱର: ରାଜଧାନୀର ଜନପଥରେ ବେପରୁଆ ଗାଡ଼ିଚାଳନାର ଭିଡିଓ ଭାଇରାଲ ହେବା ପରେ ୫ ଗିରଫ, 3 କାର ଜବତ। ଭୁବନେଶ୍ୱରର ଜନପଥରେ ଟ୍ରାଫିକ ନିୟମକୁ ଉଲ୍ଲଂଘନ କରି ଅଭିଯୁକ୍ତମାନେ ମୋଟ ୪ଟି କାର୍ରେ ରାସ୍ତାରେ ଯାଉଥିବା ବେଳେ ବେପରୁଆ ଡ୍ରାଇଭିଂ କରି ଆତଙ୍କ ଖେଳାଇଥିଲେ। କମିଶନରେଟ ପୁଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ 3ଟି ଗାଡ଼ି ଜବତ କରିଛି। ଦୁଇଟି କାରରେ ଦୁଇ ଜଣ ସନ୍ ରୁଫ୍ ଦେଇ ବାହାରକୁ ବାହରିଥିଲେ ଓ ଜୋରରେ ଚିତ୍କାର କରୁଥିଲେ। ସେଥିରୁ ଗୋଟିଏ କାରର ଝରକା ଦେଇ ଜଣେ ବାହାରକୁ ବସିଥିଲେ ଓ ପାଟି କରୁଥିଲେ। ଆଉ ଗୋଟିଏ କାର ଅତି ବିପଜ୍ଜନକ ଭାବେ ରାସ୍ତାରେ ଯାଉଥିଲା। ତାହା କିଛି କ୍ଷଣ ପାଇଁ ଫୁଟ୍ ପାଥ୍ ଉପରକୁ ଚାଲିଯାଇଥିଲା। ଏହା ଅନ୍ୟମାନଙ୍କ ପାଇଁ ବିପଦର କାରଣ ହୋଇଥା’ନ୍ତା। ସେତେବେଳେ ରାସ୍ତାରେ ଯାଉଥିବା ଲୋକଙ୍କ ମଧ୍ୟରୁ କେହି ନିଜ ମୋବାଇଲ ଫୋନ୍ରେ ଉକ୍ତ ଦୃଶ୍ୟକୁ ରେକର୍ଡ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ଭିଡିଓଟି ସତ୍ୟନଗର ବିଏମସି ଅଫିସ ସମ୍ମୁଖରୁ ରୂପାଲି ଛକ ମଧ୍ୟରେ ରେକର୍ଡ କରାଯାଇଥିଲା । ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ସହିତ ଏହି ଘଟଣା ନେଇ କମିଶନରେଟ ପୁଲିସର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତା’ପରେ ତତ୍ପର ହୋଇଥିଲା କମିଶନରେଟ ପୁଲିସ। ଘଟଣାର ଖୋଳତାଡ଼ କରି ପୁଲିସ୍ ୫ ଜଣଙ୍କୁ ଗିରଫ କରିଥିବା ବେଳେ 3 ଟି ଗାଡ଼ି ଜବତ କରିଛି।