ବେଧଡକ ବାଲି ଲୁଟ୍ : ପାଟ୍ରୋଲିଂ ସରିଲେ ବଢୁଛି ବେଆଇନ୍ ପରିବହନ

0

ଗଞ୍ଜାମ / ରଜନୀକାନ୍ତ ପାତ୍ର :ନଦୀପଠାରୁ ଚାଲୁଛି ବେଧଡକ ବାଲି ଲୁଟ୍ ।   ହିଞ୍ଜିଳି ଥାନାର ଋଷିକୁଲ୍ୟା ଓ ଘୋଡାହାଡ ନଦୀର ବିଭିନ୍ନ  ସ୍ଥାନରୁ ନିରନ୍ତର  ଏହି କାର୍ଯ୍ୟ ଚାଲୁଥିବା ଦେଖାଯାଉଛି । ମୁଖ୍ୟତଃ ଏହି ଲୁଟ୍ ପ୍ରକ୍ରିୟାରେ ନଦୀ ତଟ ଗାଁ ଗୁଡିକରେ ଥିବା ମାଳ ମାଳ ଟ୍ରାକ୍ଟର ନିୟୋଜିତ ହେଉଥିବା ଦେଖାଯାଇଛି। ଦିନ ସାରା ଟ୍ରାକ୍ଟର ଗୁଡ଼ିକ ଛିଡ଼ା ହେଇଥିବା ବେଳେ ରାତିରେ ଆରମ୍ଭ ହୁଏ ବାଲି ଲୁଟ୍। ଚୋରା ବାଲି ପରିବହନରେ ଯେପରି କୌଣସି ତ୍ରୁଟି ପରିଲକ୍ଷିତ ନ ହୁଏ ସେଥି ପାଇଁ ବାଲି ମାଫିଆ ଗୋଷ୍ଠୀଙ୍କ ପକ୍ଷରୁ ବିଭିନ୍ନ ଛକ ନିକଟରେ ଆଗୁଆ ସୁଚନାକାରୀଙ୍କୁ ନିୟୋଜିତ କରାଯାଏ। ପୁଲିସର ଗତିବିଧି ଉପରେ ସତର୍କ ଦୃଷ୍ଟି ଦେଇ ଲୁଟ ପ୍ରକ୍ରିୟା ଚାଲେ। କେତେବେଳେ ପୁଲିସ ପଞ୍ଝାରେ ଚୋରା ଚାଲାଣରେ ଲିପ୍ତ ଥିବା ବାଲି ବୋଝେଇ ଟ୍ରାକ୍ଟର ଗୁଡ଼ିକ ପଡେ ତ ଆଉ କିଛି ଛତ୍ରଭଙ୍ଗ ଦେବାରେ ଆଦୌ ଅବହେଳା କରନ୍ତି ନାହିଁ। ଏହିଭଳି ଭାବେ ବାଲି ମାଫିଆ ଓ ପୁଲିସଙ୍କ ଲୁଚକାଳି ଖେଳ ଭିତରେ ସୁଯୋଗ ଉଣ୍ଡି ମାଫିଆ ଗୋଷ୍ଠୀ ସ୍ଥାନୀୟ ସହର ସହ ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ ଚୋରା ବାଲି ବ୍ୟବସାୟର କାୟା ବିସ୍ତାର ଦୀର୍ଘ ଦିନ ଚାଲିଛି। ଏଭଳି ନିୟମିତ ଲୁଟ ପ୍ରକ୍ରିୟାରେ ସ୍ଥାନୀୟ ପୋଲିସ୍ ସକ୍ରିୟ ଥିବା ବେଳେ ଜିଲ୍ଲା ଖଣିଜ ବିଭାଗ କିନ୍ତୁ ଏଥିପ୍ରତି କର୍ଣ୍ଣପାତ ନାହିଁ। ସବୁଠାରୁ ବଡ଼ କଥା ହେଲା ପୁଲିସର ରାତ୍ର ପାଟ୍ରୋଲିଂ ଦାୟିତ୍ୱ ଶେଷ ହେବା ପରେ ବାଲି ମାଫିଆ ଅଧିକ ସକ୍ରିୟ ହେଉଥିବା ଜଣା ପଡ଼ିଛି। ମୁଖ୍ୟତଃ ଭୋର ସାଢେ଼ ଚାରିଟାରୁ ସୂର୍ଯ୍ୟୋଦୟ ପୂର୍ବରୁ କଳା କାରବାର ନିର୍ବିଘ୍ନରେ ଚାଲିଥାଏ। ପୋଲିସର ଆଖି ପତା ପଡିଗଲେ ଭାବେ ସହରର ଗଳି କନ୍ଦିରେ ଚୋରା ବାଲି ବୋଝେଇ ଟ୍ରାକ୍ଟର ଗୁଡ଼ିକର ଭିଡ ଜମେ। ଆଖି ପିଛୁଳାକେ ବାଲି ଅନଲୋଡ କରି ଅତି ଦୃତ ଗତିରେ ସେଠାରୁ ଫେରୁଥିବା ଜଣାପଡିଛି। ଏଭଳି ଭାବେ ଦୈନିକ ରାତିରେ ରୀତିମତ ଭାବେ ହଜାର ହଜାର ଟଙ୍କାର ବାଲି ଲୁଟ ହେଉଥିବା ବେଳେ କେବଳ ଧର୍ମକୁ ଆଖି ଠାର ନ୍ୟାୟରେ କେବେ କେମିତି କିଛି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ଥାନା ହେପାଜତକୁ ନେଉଥିବା ଜଣା ପଡ଼ିଛି। ବିପୁଳ ପରିମାଣରେ ସରକାରୀ ରାଜସ୍ୱ କ୍ଷତି ସାଧନ ହେଉଥିବା ବେଳେ ବାଲି ମାଫିଆଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଚେତନ ନାଗରିକ ମହଲରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରଯାଇଛି।