ଭଦ୍ରକ: ରାଜ୍ୟରେ କମିଛି କୋରୋନା ଗ୍ରାଫ । ହଟିଯାଇଛି ଲକଡାଉନ ଏବଂ ଶଟଡାଉନ । ଧିରେ ଧିରେ ପୂର୍ବ ଅବସ୍ଥାକୁ ଫେରୁଛି ଓଡିଶା । ଗୋଟିଏ ପରେ ଗୋଟିଏ ସବୁ ଅନୁଷ୍ଠାନ ଖୋଲିବାକୁ ଅନୁମତି ଦେଉଛନ୍ତି ସରକାର । ଏବେ ପାଳି ଧର୍ମାନୁଷ୍ଠାନମାନଙ୍କର । କୋରୋନା ସଂକ୍ରମଣ କମିବା ପରେ ଖୋଲିବ ଧର୍ମାନୁଷ୍ଠାନ । କିଛିଟା ସ୍ଥାନରେ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଜିଲ୍ଳା ପ୍ରଶାସନ ଅନୁମତି ଦେଇସାରିଥିବା ବେଳେ ଭଦ୍ରକ ଜିଲ୍ଲା ମଧ୍ୟ ଏହି ତାଲିକାରେ ଯୋଗ ଦେଇଛି । ଆସନ୍ତା ୨୩ ତାରିଖରୁ ଭଦ୍ରକ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଭଦ୍ରକ ଜିଲ୍ଳାର ପ୍ରସିଦ୍ଧ ଆଖଣ୍ଡଳମଣି ମନ୍ଦିର ଏବଂ ଅନ୍ୟ ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବା ପାଇଁ ଗ୍ରୀନ ସିଗନାଲ ମିଳିଛି ।
ପ୍ରତ୍ୟେକ ଦିନ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭକ୍ତମାନଙ୍କ ପାଇଁ ଖୋଲିବ ସମସ୍ତ ମନ୍ଦିର । ତେବେ ସାନିଟାଇଜ ପାଇଁ ପ୍ରତ୍ୟେକ ଶନିବାର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିବ । ତେବେ ମନ୍ଦିର ଖୋଲା ରହିଲେ ବି କୋରୋନା କଟକଣା ମାନିବା ବାଧ୍ୟତାମୂଳକ ରହିବ । ମାସ୍କ, ସାନିଟାଇଜର ସହିତ ସାମାଜିକ ଦୂରତା ମାନି ଭକ୍ତମାନେ ମନ୍ଦିର ଦର୍ଶନ କରିପାରିବେ ।