(ଅନୁସ୍ୱୟା)ଭୁବନେଶ୍ୱର: ଆଜି ନୂଆଦିଲ୍ଲୀରେ ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବ ଭାରତୀୟ ବ୍ୟାଘ୍ର ଗଣନା ରିପୋର୍ଟ ୨୦୧୮ ଉନ୍ମୋଚନ କରିଛନ୍ତି । ବାଘ ସଂରକ୍ଷଣ ଦିଗରେ ସରକାର ସବୁ ପ୍ରକାର ଉଦ୍ୟମ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସାରା ବିଶ୍ୱରେ ଭାରତ ବାଘମାନଙ୍କ ପାଇଁ ସୁରକ୍ଷିତ ଆଶ୍ରୟ ସ୍ଥଳୀ। ବ୍ୟାଘ୍ର ଗଣନା ଫଳାଫଳ ପ୍ରତ୍ୟେକ ଭାରତୀୟ ଏବଂ ପ୍ରକୃତି ପ୍ରେମୀଙ୍କ ମନରେ ଆନନ୍ଦ ଦେଇଛି। ୨୦୧୨ ସୁଦ୍ଧା ବାଘ ସଂଖ୍ୟା ଦୁଇ ଗୁଣ କରିବା ଲକ୍ଷ୍ୟ ଧାର୍ୟ୍ୟ ହୋଇଥିବା ବେଳେ ଚାରି ବର୍ଷ ପୂର୍ବରୁ ସେହି ଲକ୍ଷ୍ୟ ପୂରଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ଏ ଦିଗରେ କାର୍ୟ୍ୟରତ ସମସ୍ତଙ୍କୁ ପ୍ରଶଂସା କରିଛନ୍ତି। ସଂକଳ୍ପରୁ ସିଦ୍ଧିର ଏହା ଶ୍ରେଷ୍ଠ ଉଦାହରଣ ବୋଲି ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୫ ବର୍ଷ ମଧ୍ୟରେ ଜଙ୍ଗଲ ଏବଂ ସଂରକ୍ଷିତ ଅଂଚଳ ବୃଦ୍ଧି ପାଇଛି ଯାହା ଫଳରେ ପରିବେଶ ଓ ବିକାଶ ମଧ୍ୟରେ ସନ୍ତୁଳନ ସୃଷ୍ଟି କରିବା ସମ୍ଭବପର ହୋଇପାରିଛି।