ବାଲେଶ୍ୱର: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ରେମୁଣା ତହସିଲଦାର ଗିରଫ । କୋଟିପତି ତହସିଲଦାର ବିଦ୍ୟାଧର ପତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଚଢାଉ ବେଳେ ତାଙ୍କ ଘରୁ ଅଚଳାଚଳ ସମ୍ପତି ସହ ଏକାଧିକ ପ୍ଲଟ ଥିବା ଜଣା ପଡିଥିôଲା । ବିଦ୍ୟାଧର ପତିଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିବା ପରେ ମଙ୍ଗଳବାର ସକାଳେ ତାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିଲା । ଭିଜିଲାନ୍ସ ମୁଖ୍ୟଳୟରୁ ଏକ ଟିମ୍ ବାଲେଶ୍ୱର ସର୍କିଟ ହାଉସ ନିକଟରୁ ତହସିଲଦାର ଶ୍ରୀ ପତିଙ୍କୁ ଧରି ତାଙ୍କ କାର୍ଯ୍ୟାଳୟକୁ ନେଇଥିଲେ । ସେଠାରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବାରେ ତାଙ୍କ ନାଁରେ ଏକାଧିକ ପ୍ଲଟ, ଫ୍ଲାଟ ଥିବା ଜଣିବାକୁ ପାଇଥିଲେ ।
ସୂଚନା ଅନୁସାରେ, ବିଦ୍ୟାଧର ପତି ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଭୁବନେଶ୍ବର ଶୈଳଶ୍ରୀବିହାରରେ ୧୪୬୦ ବର୍ଗଫୁଟ୍ର ୩ ବିଏଚ୍କେ ଫ୍ଲାଟ୍, ରୁଦ୍ରପୁର ଅଞ୍ଚଳରେ ୧୪୨୨ ବର୍ଗଫୁଟର ୩ ବିଏଚ୍କେ ଫ୍ଲାଟ୍, ବାଲେଶ୍ବର ସହର କୁରୁଡ଼ାସ୍ଥିତ ସୁପ୍ରତୀକ ଆପାର୍ଟମେଣ୍ଟ୍ରେ ୧୫୫୪ ବର୍ଗଫୁଟ୍ର ଏକ ଫ୍ଲାଟ୍ ରହିଥିବା ବେଳେ ଉଭୟ ଭୁବନେଶ୍ବର ଓ ବାଲେଶ୍ବରରେ ୨ଟି ପ୍ଲଟ୍ ରହିଛି। ଏସବୁର ମୂଲ୍ୟ ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇଥିଲା । ସେହିପରି, ବିଦ୍ୟାଧର ପତିଙ୍କ ହୁଣ୍ଡାଇ-ଆଇ୨୦ କାର୍, ୨ଟି ଦୁଇଚକିଆ ସହ ବ୍ୟାଙ୍କ ଓ ଅନ୍ୟାନ୍ୟ ଜମାରାଶିର କାଗଜପତ୍ର ଭିଜିଲାନ୍ସ ଠାବ କରିଥିଲା । ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ୟୁକୋ ବ୍ୟାଙ୍କରେ ତାଙ୍କ ପତ୍ନୀଙ୍କ ଏକ ବ୍ୟାଙ୍କ ଲକର୍ ରହିଛି। ଏହି ଚଢ଼ଉରେ ଭିଜିଲାନ୍ସର ୬ ଡିଏସ୍ପି, ୩ ଇନ୍ସପେକ୍ଟର ଓ ୧୦ ଏଏସ୍ଆଇ ସାମିଲ ଥିଲେ ।