ଅନୁଗୁଳ /ଜ୍ୟୋତିରଞ୍ଜନ ଧର : ଅନୁଗୋଳ ଜିଲ୍ଲା କଣିହାଁ ବ୍ଳକ ରେଙ୍ଗାଳି ମଣ୍ଡଳ ବିଜେପିର କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ନେତା ତଥା ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏ ଅଞ୍ଚଳ ପ୍ରତି ବିଜେଡି ସରକାରର ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରି ତୀବ୍ର ସମାଲୋଚନା କରିଥିଲେ ।ରେଙ୍ଗାଳି ପ୍ରକଳ୍ପ ମେଡ଼ିକାଲକୁ ଜଳସମ୍ପଦ ବିଭାଗ ୨୦୧୧ ମସିହାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରିଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ଏହା ସରକାରୀ ମାନ୍ୟତା ପାଇଲା ନାହିଁ ।
ଏଠାରେ ନିୟମିତ ଡାକ୍ତର ରହୁନଥିବାରୁ ସ୍ଥାନୀୟ ଅଧିବାସୀ ସ୍ୱାସ୍ଥ୍ୟସେବା ପାଇଁ ଦହଙ୍ଗଜ ହେଉଛନ୍ତି। ଦୁଇ ଦୁଇ ଥର ଡ୍ୟାମ ନିମ୍ନ ପାର୍ଶ୍ଵରେ ବ୍ରିଜ ନିର୍ମାଣ ପାଇଁ ଲେଙ୍ଗାଳି ଠାରେ ଶିଳାନ୍ୟାସ ହୋଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ତାହା ନିର୍ମାଣ ହୋଇପାରିଲା ନାହିଁ ।ରେଙ୍ଗାଳି ପ୍ରକଳ୍ପ ସ୍କୁଲ, କଲେଜ ଶିକ୍ଷକ ଅଧ୍ୟାପକ ମରୁଡ଼ି ସ୍ଥିତି ଦେଖା ଦେଇଛି । ପଞ୍ଚାୟତରେ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା, ଦୁର୍ନୀତିରେ ଖୋଦ ସ୍ଥାନୀୟ ଅପାରଗ ବିଧାୟକ ସାମିଲ ନେଇ ଶ୍ରୀ ମହାନ୍ତି ଅଭିଯୋଗ କରିବା ସହ ଏହାର ଦୃଢ଼ ଜବାବ ଦେବାକୁ ଦଳୀୟ କର୍ମକର୍ତାଙ୍କୁ ଆହ୍ୱାନ କରିଥିଲେ। ରେଙ୍ଗାଳି ମଣ୍ଡଳ ସଭାପତି ତ୍ରିପୁରାରି ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଉପସଭାପତି ନୃସିଂହ ବରାଳ, ରାଜ୍ୟ ଏସ୍ସି ମୋର୍ଚ୍ଚା ସଭାପତି ଏବି ଚନ୍ଦନ ସ୍ବରାଳ, ଜିଲ୍ଲା ମଣ୍ଡଳ ପ୍ରଭାରୀ ସୁବୋଧ ପାଣି, ଯୁବ ମୋର୍ଚା ସମ୍ପାଦକ ହରେକୃଷ୍ଣ ପ୍ରଧାନ, ସରପଞ୍ଚ ପୁଷ୍ପଲତା ପ୍ରଧାନ ପ୍ରମୁଖ ଅତିଥ ଭାବେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ ।