(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟା ଘଟଣାରେ ଏସଆଇଟି ତଦନ୍ତ ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ରିର୍ପୋଟ ହାଇକୋର୍ଟରେ ଦାଖଲ କରାଯାଇଛି। ହାଇକୋର୍ଟ ଟ୍ରାଏଲ କୋର୍ଟରେ ରିର୍ପୋଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଆବେଦନକାରୀଙ୍କୁ ଅଭିଯୋଗ ଥିଲେ ଟ୍ରାଏଲ କୋର୍ଟରେ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଗତ ଡିସେମ୍ଵର ୩ ତାରିଖରେ କୁନ୍ଦୁଲି ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାର ଏସ୍ଆଇଟି ତଦନ୍ତ ଆରମ୍ଭ ହୋଇଥିଲା। ଏସ୍ଆଇଟିର ଏକ ୩ ଜଣିଆ ଟିମ୍ ପୀଡ଼ିତାଙ୍କ ଗାଁକୁ ଯାଇ ତଦନ୍ତ କରିଥିଲେ। ଯେଉଁ ସ୍ଥାନରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା, ସେହି ସ୍ଥାନ ବୁଲି ଦେଖିଥିଲେ। ଏହାସହ ପୀଡ଼ିତାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କଠାରୁ ମଧ୍ୟ ତଥ୍ୟ ସଂଗ୍ରହ କରିଥିଲେ।
ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏହି ତଦନ୍ତ ଆରମ୍ଭ ହୋଇଥିଲା। ଡିଆଇଜି ସଫିକ୍ ଅହମ୍ମଦ କେ, ସତ୍ୟବ୍ରତ ଭୋଇ ଏବଂ ହିମାଂଶୁ ଲାଲ୍ଙ୍କୁ ନେଇ ଗଠିତ ତିନି ଜଣିଆ ଏସ୍ଆଇଟି ଏହି ମାମଲାର ତଦନ୍ତ କରିଥିଲେ।
କୋରାପୁଟ ଜିଲ୍ଲା କୁନ୍ଦୁଲିରେ ଘଟିଥିଲା ଏହି ଲୋମହର୍ଷଣ ଘଟଣା। ଗୋଟେ ଝିଅଟି ସ୍କୁଲରୁ ଘରକୁ ଫେରୁଥିବା ବେଳେ ଯବାନଙ୍କ ପୋଷାକ ପିନ୍ଧିଥିବା କେତେକ ଲୋକ ତାଙ୍କୁ ଟେକି ନେଇ ଜଙ୍ଗଲ ଭିତରେ ଗଣଦୁଷ୍କର୍ମ କରିଥିଲେ। ପରେ ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ କୁନ୍ଦୁଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ନ୍ୟାୟ ମାଗି ଶେଷରେ ପୀଡ଼ିତା ୨୦୧୮ ଜାନୁଆରି ୨୨ରେ ଆତ୍ମହତ୍ୟା କରିଥିଲେ।