ମୟୁରଭଞ୍ଜ : ୨୨ ବର୍ଷ ଧରି ସେନା ବିଭାଗ ରେ ସୈନିକ ଭାବରେ କାର୍ୟ୍ୟକରି ଚାକିରୀରୁ ଅବସର ନେଇ ନିଜ ଗ୍ରାମକୁ ଫେରିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆ ଯାଇଛି । ଠାକୁରମୁଣ୍ଡା ବ୍ଲକ ତାଳପଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚକୁଳିଆ ଗ୍ରାମର ଅର୍ଜ୍ଜୁନ ମାରାଣ୍ଡିଙ୍କ ବଡ ପୁଅ ଲାଲମୋହନ ମାରାଣ୍ଡି ଗତ ୨୦୦୧ ମସିହା ରେ ସେନା ବାହିନୀରେ ସିପାହୀ ଭାବରେ କାର୍ୟ୍ୟରେ ଯୋଗ ଦେଇଥିଲେ । ସେ ବିଭିନ୍ନ ସ୍ଥାନରେ କାର୍ୟ୍ୟ ସମ୍ପାଦନ କରି ଅବସର ନେବା ସମୟରେ ୪୩ ବାଟାଲିୟନ ଶ୍ରୀନଗର ଠାରେ ହାବିଲଦାର ପଦବୀରୁ ଅବସର ଗ୍ରହଣ କରିଥିଲେ। ଜମ୍ମୁ କାଶ୍ମୀର ରୁ ୩୭୦ ଧାରା ଉଚ୍ଛେଦ ସମୟରେ ସେ ଶ୍ରୀନଗରରେ ରହି କାର୍ୟ୍ୟ କରୁଥିଲେ । ସେ ଗତ ଜାନୁଆରୀ ୩୧ ତାରିଖ ଦିନ ଅବସର ନେବା ପରେ ନିଜ ଗ୍ରାମକୁ ଆସି ୨ ତାରିଖ ଗୁରୁବାର ଦିନ ପହଞ୍ଚି ଥିଲେ । ନିଜ ଗ୍ରାମ ଚକୁଳିଆକୁ ପହଞ୍ଚିବା ପୂର୍ବରୁ ଠାକୁରମୁଣ୍ଡା ଠାରେ ତାଙ୍କୁ ଶତାଧିକ ଗ୍ରାମବାସୀ ପାରମ୍ପରିକ ବାଦ୍ୟ ଓ ନୃତ୍ୟ କରି ତାଙ୍କୁ ଶୋଭାଯାତ୍ରାରେ ବଜାର ପରିକ୍ରମା ପରେ ଗ୍ରାମକୁ ନେଇଥିଲେ । ଗ୍ରାମ ରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗ୍ରାମରେ ଅପେକ୍ଷା କରି ରହିଥିବା ମହିଳା ଓ ପୁରୁଷ ମାନେ ତାଙ୍କୁ ଗ୍ରାମ ଭିତରକୁ ବାଦ୍ୟ ଓ ନୃତ୍ୟ କରି ପାଛୋଟି ନେଇଥିଲେ । ଗ୍ରାମ ରେ ପହଞ୍ଚିବା ପରେ ସେନା କର୍ମଚାରୀ ପ୍ରଥମେ ଗ୍ରାମ ର ଜାହିରା ଶାଳ (ଗ୍ରାମ ଦେବୀ) ଙ୍କ ନିକଟରେ ପହଞ୍ଚିବା ପରେ ନିଜ ଘରକୁ ଯାଇଥିଲେ ।