ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ସିରିଜ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ବିରାଟ, ରୋହିତ, ସାମିଙ୍କ ଭଳି ବରିଷ୍ଠ ଖେଳାଳି ମାନେ ଏହି ଟି୨୦ରୁ ବାଦ ପଡିଛନ୍ତି । ତେବେ ଏହି ଟିମରେ ରିଙ୍କୁ ସିଂ ମଧ୍ୟ ସ୍ଥାନ ପାଇନାହାନ୍ତି । ଯାହାକି ପ୍ରଂଶସକଙ୍କୁ ନିରାଶ କରିଛି । ଆଇପିଏଲରେ ରିଙ୍କୁ ଦମଦାର ପ୍ରଦର୍ଶନ କରିଥିଲେ । ତେଣୁ ତାଙ୍କୁ ଟି-୨୦ରେ ସ୍ଥାନ ମିଳିବ ବୋଲି କ୍ରିକେଟପ୍ରେମୀ ଆଶା ପ୍ରକାଶ କରିଥିଲେ । କୋଲକାତା ପାଇଁ ବିଧ୍ୱଂସୀ ଇନିଂସ ଖେଳୁଥିବା ରିଙ୍କୁଙ୍କୁ ଟିମ୍ ଇଣ୍ଡିଆର ଆଗାମୀ ଫିନିସର ବୋଲି କୁହାଯାଉଥିଲା । ଏପରିକି ତାଙ୍କୁ ତୁରନ୍ତ ଟିମ୍ ଇଣ୍ଡିଆରୁ ଡାକରା ଆସିବ ବୋଲି ମଧ୍ୟ କ୍ରିକେଟପ୍ରେମୀ ଆଶା ବାନ୍ଧି ବସିଥିଲେ । କିନ୍ତୁ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ରିଙ୍କୁ ସ୍ଥାନ ନ ପାଇବାରୁ ବିସିସିଆଇ ଉପରେ କ୍ରୋଧ ପ୍ରକାଶ କରିଛନ୍ତି କ୍ରିକେଟପ୍ରେମୀ । ରିଙ୍କୁ ଦଳରେ ସ୍ଥାନ ନ ପାଇବା କାରଣରୁ ସୋସିଆଲ ମିଡ଼ିଆରେ ଉଭୟ ବିସିସିଆଇ ଓ ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ଉପରେ ପ୍ରଶ୍ନ ଉଠାଇଛନ୍ତି ପ୍ରଶଂସକ ।ଟିମ ଇଣ୍ଡିଆ ପାଇଁ ଧୋନୀଙ୍କ ଭଳି ଫିନିସର ଖେଳାଳି ଅବଶ୍ୟକ ଥିବା ବେଳେ ରିଙ୍କୁ ସିଂଙ୍କୁ ସ୍ଥନ ମିଳିନଥିବାରୁ ଟ୍ୱିଟ ମାଧ୍ୟମରେ ବିସିସିଆଇକୁ ଟାର୍ଗେଟ କରିଛନ୍ତି କ୍ରିକେଟ ପ୍ରେମୀ । ଧୋନୀ ଓ ରିଙ୍କୁଙ୍କ ରେକର୍ଡର ଫଟୋ ସେୟାର କରି ଲେଖିଛନ୍ତି ରିଙ୍କୁଙ୍କ ଭଳି ପ୍ରତିଭାକୁ ଅଣଦେଖା କରାଯାଉଛି । ଏହାଦ୍ୱାରା ଟିମ୍ ଇଣ୍ଡିଆ କ୍ଷତିଗ୍ରସ୍ତ ହେଉଛି । ଗତ ଆଇପିଏଲରେ ରିଙ୍କୁ ୧୪ଟି ମ୍ୟାଚରୁ ୧୫୦ରୁ ଅଧିକ ଷ୍ଟ୍ରାଇକ ରେଟରେ ୪୭୪ ରନ୍ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଖାସକରି ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ଶେଷ ଓଭରରେ ୫ ଛକା ମାରି ରାତାରାତି ଷ୍ଟାର ପାଲଟିଯାଇଥିଲେ ରିଙ୍କୁ ସିଂ ।