ଘୁଞ୍ଚିଲା ତାରିଖ, ଏହି ଦିନ ବିବାହ ବନ୍ଧନରେ ବାନ୍ଧି ହେବେ ରିଙ୍କୁ – ପ୍ରିୟା

0

ମୁମ୍ବାଇ: ଭାରତୀୟ କ୍ରିକେଟର ରିଙ୍କୁ ସିଂହ ଏବଂ ସାଂସଦ ପ୍ରିୟା ସରୋଜଙ୍କ ବିବାହକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଭରି ରହିଥିବା ବେଳେ ଏବେ ସାମ୍ନାକୁ ଆସିଛି ଏକ ବଡ ଖବର  । ବର୍ତ୍ତମାନ ମିଳିଥିବା ସୂଚନା ଅନୁଯାୟୀ ରିଙ୍କୁଙ୍କ ବିବାହ ଚଳିତ ବର୍ଷ ନଭେମ୍ବରରେ ହେବନାହିଁ  । ପୂର୍ବରୁ ଉଭୟଙ୍କ ବିବାହ ନଭେମ୍ବରରେ ହେବାନେଇ ସୂଚନା ମିଳିଥିବା ବେଳେ ଏବେ ଏହାକୁ ଏବେ  ସ୍ଥଗିତ ରଖାଯାଇଛି।

ଚଳିତ ମାସ ୮ ତାରିଖରେ ଦୁହେଁ ନିର୍ବନ୍ଧ କରିଥିଲେ । ଦୁହେଁ ଲକ୍ଷ୍ନୌର ଏକ ହୋଟେଲରେ ନିର୍ବନ୍ଧ କରିଥିଲେ । ଦୁହିଁଙ୍କ ବିବାହ ନଭେମ୍ବର ୧୮ରେ ହେବ ବୋଲି ପୂର୍ବରୁ ଖବର ମିଳିଥିଲା । ମାତ୍ର ଏବେ ବାହାଘରକୁ ଘୁଞ୍ଚାଇ ଦିଆଯାଇଛି ବୋଲି କୁହାଯାଇଛି । ତେବେ ବିବାହ ଘୁଞ୍ଚିବା ପଛର କାରଣ ରିଙ୍କୁ ସିଂହ କ୍ରିକେଟକୁ ନେଇ ବ୍ୟସ୍ତତା ଥିବା କୁହାଯାଉଛି । ନଭେମ୍ବରରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଯୋଗୁଁ ରିଙ୍କୁ ସିଂହ ବ୍ୟସ୍ତ ରହିବେ । ତେଣୁ ଦୁହେଁ ବିବାହ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ବାରଣାସୀର ତାଜ ହୋଟେଲରେ ରିଙ୍କୁ ସିଂହ ଏବଂ ସାଂସଦ ପ୍ରିୟା ସରୋଜଙ୍କ ବିବାହ ହେବାର ଥିଲା । ତେବେ ହୋଟେଲର ବୁକି ଆସନ୍ତାବର୍ଷ ଫେବ୍ଆରୀକୁ କରାଯାଇଛି । ତେବେ ଏଯାଏଁ ବିବାହ ନୂଆ ତାରିଖକୁ ନେଇ କିଛି ଖବର ମିଳିନାହିଁ ।

ସୂଚନାଯୋଗ୍ୟ, ୨୦୨୫ ଆଇପିଏଲ୍‌ରେ ରିଙ୍କୁ ସିଂହ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳିଥିଲେ। ସେ ୨୯.୪୨ ହାରରେ ୨୦୬ ରନ୍ କରିଥିଲେ। ପଏଣ୍ଟ ଟେବୁଲରେ ତାଙ୍କ ଦଳ ଅଷ୍ଟମ ସ୍ଥାନରେ ରହିଥିଲା। ୧୪ଟି ମ୍ୟାଚ୍‌ରୁ କୋଲକାତା ନାଇଟ ରାଇଡର୍ସ ୫ଟି ଜିତିଥିଲା। ଆଇପିଏଲ୍ ବ୍ୟତୀତ ୨୭ ବର୍ଷୀୟ ରିଙ୍କୁ ସିଂହ ଭାରତୀୟ ଟିଟ୍ୱେଣ୍ଟି ଦଳର ଜଣେ ସଦସ୍ୟ। ଭାରତ ପକ୍ଷରୁ ୩୩ଟି ଟିଟ୍ୱେଣ୍ଟି ଖେଳି ସେ ୫୪୬ ରନ୍ କରିଛନ୍ତି। ତା’ ମଧ୍ୟରେ ୩ଟି ଅର୍ଦ୍ଧଶତକ ରହିଛି। ଏହି ଫର୍ମାଟରେ ସେ ୨୦୨୩ରେ ଆୟର୍ଲ୍ୟାଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ।

ରିଙ୍କୁ ସିଂହ ଭାରତ ପାଇଁ ଦୁଇଟି ଦିନିକିଆ ମ୍ୟାଚ୍ ମଧ୍ୟ ଖେଳିଛନ୍ତି। ୨୦୨୩ରେ ଦକ୍ଷିଣ ଆଫ୍ରିକା ବିରୋଧରେ ସେ ଦିନିକିଆରେ ଡେବ୍ୟୁ କରିଥିଲେ। ଦୁଇଟି ଯାକ ଦିନିକିଆ ମ୍ୟାଚ୍ ସେ ଦକ୍ଷିଣ ଆଫ୍ରିକା ବିରୋଧରେ ହିଁ ଖେଳିଛନ୍ତି। ଅନ୍ୟପକ୍ଷରେ ୨୬ ବର୍ଷୀୟା ପ୍ରିୟ ସରୋଜ ୨୦୨୪ରେ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସେ ସମାଜବାଦୀ ପାର୍ଟି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ତାଙ୍କ ବାପା ତୁଫାନି ସରୋଜ ହେଉଛନ୍ତି ସମାଜବାଦୀ ପାର୍ଟିର ଜଣେ ବରିଷ୍ଠ ନେତା। ସେ ତିନି ଥର ସାଂସଦ ହୋଇଥିବା ବେଳେ ଏବେ ଉତ୍ତର ପ୍ରଦେଶ ବିଧାନସଭାର ସଦସ୍ୟ ଅଛନ୍ତି।