ପାଠପଢ଼ାରେ ବାଧକ ସାଜିଛି ରାସ୍ତା

0

(ଜଗତସିଂହପୁର / ଦଲ୍ଲିପ୍ ସାହୁ ) : ପାଠ ପଢାରେ ରାସ୍ତା ସାଜିଛି ବାଧକ । ସ୍କୁଲକୁ ଯିବାକୁ ନାହିଁ ରାସ୍ତା । ଏ ଦୃଶ୍ୟ ହେଉଛି ଜଗତସିଂହପୁର ଜିଲ୍ଲା ତ୍ରିତୋଲ ଥାନା ଅନ୍ତର୍ଗତ ଛପଡା ପଞ୍ଚାୟତର ରାହାଡ଼ିଙ୍ଗା ପଡା ଦଳିତ ସାହିର । ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ଅନେକ ସଂଖ୍ୟାରେ କୁନି କୁନି ପିଲାମାନେ ନିକଟସ୍ଥ ରାହାଡ଼ିଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଆନ୍ତି । ମୁଖ୍ୟ ରାସ୍ତା ଦେଇ ସ୍କୁଲ ଯିବାକୁ ହେଲେ ୨ କିଲୋମିଟର ବାଟ ଅତିକ୍ରମ କରିବାକୁ ପଡିଥାଏ । କିଛିଦିନ ତଳେ ଜଣେ ପିଲା ମୁଖ୍ୟ ରାସ୍ତାରେ ଯିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିବାରୁ, ଦଳିତ ସାହିର ଲୋକେ ମିଶି, ମାଟି ପକାଇ ଏକ ଛୋଟ ରାସ୍ତା ଟିଏ ନିର୍ମାଣ କରିଥିଲେ । ହେଲେ ବର୍ଷା ପାଗରେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଥିବା ଯୋଗୁଁ ପିଲାମାନେ ପାଠପଢିବାକୁ ଯିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି । ପାଠପଢ଼ାରେ ବାଧକ ସାଜିଥିବା ଏହି ରାସ୍ତାର ନିର୍ମାଣ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ବିଭିନ୍ନ ବିଭାଗ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ କେହି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ଅନ୍ୟପଟେ ସ୍କୁଲର ପିଲା ମାନେ ମଧ୍ୟ ଭଲ ରାସ୍ତାଟିଏ ପାଇଁ ଦାବି କରିଛନ୍ତି ।
ଗ୍ରାମର ବିକାଶ ଓ ସମସ୍ୟା ଦୂର କରିବା ନିମନ୍ତେ ଅନେକ ଯୋଜନା ଗଢିଉଠୁଥିବା ବେଳେ ଦେଶର ଭବିଷ୍ୟତ କୁହାଯାଉଥିବା ଏହି କୁନି କୁନି ପିଲାମାନଙ୍କର ସମସ୍ୟା ଦୂର କେବେ ହେବ ତାହା ଦେଖିବାକୁ ବାକି ରହିଲା ।