ଅନୁପମା ସୁଟିଂ ସେଟରେ ନିଆଁ, କାରଣ ଅସ୍ପଷ୍ଟ

0

ମୁମ୍ବାଇ: ମୁମ୍ବାଇର ସୁଟିଂ ସେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ  । ଗୋରେଗାଓଁ ଫିଲ୍ମ ସିଟି ସୁଟିଂ ସେଟ୍‌ରେ ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା ମିଳିଛି  । ପ୍ରସିଦ୍ଧ ଟିଭି ରିୟଲିଟି ଶୋ ‘ଅନୁପମା’ର ସୁଟିଂ ସେଟ୍‌ ଜଳିପୋଡି ପାଉଁଶ ହୋଇଯାଇଛି  । ତେବେ ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ ଅନୁମାନ କରାଯାଉଛି  । ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁ ଲିଭା କାର୍ୟ୍ୟ ଜାରି ରଖିଛି  । ଏହି ଭୟଙ୍କର ଅଗ୍ନିକାଣ୍ଡର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ପ୍ରଶଂସକମାନେ ମଧ୍ୟ ଭୟଭୀତ ହୋଇଯାଇଛନ୍ତି।

ସୂଚନା ଅନୁସାରେ, ଆଜି ସକାଳ ୫ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ନେଇ ସୂଚନା ମିଳିଛି  । ନିଆଁର ତୀବ୍ରତା ଏତେ ଥିଲା ଯେ ଲାଗୁଥିଲା ନିଆଁ ଖୁବ୍ ଶୀଘ୍ର ଆଖପାଖ ଅଞ୍ଚଳକୁ ଗ୍ରାସ କରିବ  । ତେବେ ନିଆଁ ଲାଗିବା ନେଇ ସୁରକ୍ଷାକର୍ମୀ ତୁରନ୍ତ ସେଟ୍ ମାଲିକ ଏବଂ ଅଗ୍ନିଶମ ବାହୀନିକୁ ଖବର ଦେଇଥିଲେ  । ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲା ଅଗ୍ନିଶମ ବିଭାଗ  । ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ୫ଟି ଦମକଳ ଗାଡି  । ତେବେ ଅଗ୍ନିକାଣ୍ଡରେ ସୁଟିଂ ସେଟର କୋଟି କୋଟି ଟଙ୍କାର ଜିନିଷ ପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି  ।

ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ନେଇ ଅନୁମାନ କରାଯାଉଛି  । ବର୍ତ୍ତମାନ ସୁଦ୍ଧା ନିଆଁ ଆୟତ୍ତ କରାଯାଇଥିବା ବେଳେ ତଦନ୍ତ ପରେ ନିଆଁ ଲାଗିବାର କାରଣ ଜଣାପଡିବ  । ତେବେ ଏନେଇ ଶୋ’ର ମୁଖ୍ୟ ଅଭିନେତ୍ରୀ ରୁପାଲି ଗାଙ୍ଗୁଲିଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ  ।