ଋଷ ଚଲାଇଛି ଧ୍ୱଂସର ତାଣ୍ଡବ: ଋଷ ଅଧିକୃତ ଅଞ୍ଚଳରେ ବଢିଚାଲିଛି ସ୍ୱାସ୍ଥ୍ୟ ସଂକଟ
ଚିକିତ୍ସା ଅଭାବରୁ ଜଟିଳ ହେବାରେ ଲାଗିଛି କ୍ୟାନସର ଆଉ ମଧୁମେହ ରୋଗୀଙ୍କ ଜୀବନ
ଖାରକିଭ : ୭୨ ଦିନରେ ପହଞ୍ଚିଲା ଋଷ-ୟୁକ୍ରେନ ଯୁଦ୍ଧ । ଆଉ ପୂର୍ବ ଓ ଦକ୍ଷିଣ ୟୁକ୍ରେନକୁ ପୁରା ଛାରଖାର କରିବାରେ ଲାଗି ପଡିଛି ଋଷ । ଆଉ ଏହି ସମୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଋଷ ବିରୁଦ୍ଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଏହି ଆକ୍ରମଣ ଫଳରେ ଦେଶରେ ଧ୍ୱଂସ ହେଲାଣି ପ୍ରୟ ୪୦୦ରୁ ଅଧିକ ହସ୍ପିଟାଲ ସହ ଅନେକ ପ୍ରତିଷ୍ଠାନ । ହସ୍ପିଟାଲ, ମାତୃକାଳୀନ କେନ୍ଦ୍ର, ଓପିଡି ସହ ଅନେକ ପ୍ରତିଷ୍ଠାନକୁ ଧ୍ୱଂସ କରିବାରେ ଲାଗି ପଡିଛି ଋଷ । ଏହି କାରଣରୁ ହସ୍ପିଟାଲ ଛାଡି ଚାଲିଯାଉଛନ୍ତି ଡାକ୍ତର । ଯେଉଁ ଅଞ୍ଚଳ ଋଷର ଅଧିକୃତରେ ରହିଛି ସେଠାରେ ଗମ୍ଭିର ସ୍ୱାସ୍ଥ୍ୟ ସଂକଟ ଦେଖା ଦେଉଥିବା କହିଛନ୍ତି ଜେଲେନସ୍କି । ସେପଟେ ଚିକିତ୍ସା ଅଭାବରୁ ଜୀବନ ମରଣ ସହ ଯୁଦ୍ଧ କରୁଛନ୍ତି ହଜାର ହଜାର ରୋଗୀ । ବିଶେଷ କରି ଚିକିତ୍ସା ଅଭାବରୁ ଜଟିଳ ହେବାରେ ଲାଗିଛି କ୍ୟାନସର ଆଉ ମଧୁମେହ ରୋଗୀଙ୍କ ଜୀବନ ।
ଏହା ଛଡା ୟୁକ୍ରେନର ବିଭିନ୍ନ ସାମରିକ ପ୍ରତିଷ୍ଠାନକୁ ଋଷ ଟାର୍ଗେଟ କରି ଗତ ରାତିସାରା ଭୟାବହ ଆକ୍ରମଣ କରିଛି । ରୁଷର ତୁହାକୁ ତୁହା କ୍ଷେପଣାସ୍ତ୍ର ମାଡରେ ରାତିକ ଭିତରେ ୬୦୦ ୟୁକ୍ରେନ ସୈନ୍ୟ ହୋଇଛନ୍ତି ନିହତ । ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ , ଏହି ଆକ୍ରମଣରେ ୬୧ଟି ସାମରିକ ୟୁନିଟ, ୧୫ଟି ଇନ୍ଧନ ଗୋଦାମ ଧ୍ୱଂସ ହୋଇଥିବା ୟୁକ୍ରେନ କହିଛି । ଋଷର ଏଭଳି ଭୟଙ୍କର ଆକ୍ରମଣକୁ କ୍ଷେପଣାସ୍ତ୍ର ଆତଙ୍କବାଦ ବୋଲି ୟୁକ୍ରେନ ଦର୍ଶାଇଛି ।
ଏପଟେ ଯୁଦ୍ଧର ଅବସାନ ଲାଗି ପୁଣି ଥରେ ଆହ୍ବାନ ଦେଇଛନ୍ତି ଜାତିସଂଘ, ଆମେରିକା, ଆୟାରଲ୍ୟାଣ୍ଡ, ଫ୍ରାନ୍ସ ଓ ମେକ୍ସିକୋ । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି, ୟୁକ୍ରେନବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଯୁଦ୍ଧ ବନ୍ଦ ହେବା ଆବଶ୍ୟକ । ପୋର୍ଟସିଟି ମାରିୟୁପୋଲରେ ତୃତୀୟ ପର୍ୟ୍ୟାୟ ରେସକ୍ୟୁ ଅପରେସନ ଜାରି ରହିଛି । ଆଜଭୋସ୍ତାଲ ଷ୍ଟିଲ ପ୍ଲାଣ୍ଟ ଓ ଅନ୍ୟାନ୍ୟ ସ୍ଥାନରେ ଜାତିସଂଘ ଓ ରେଡକ୍ରସ ପକ୍ଷରୁ ଉଦ୍ଧାର କାର୍ୟ୍ୟ ପୁଣି ଥରେ ଆରମ୍ଭ ହୋଇଛି ।